ବାଙ୍ଗଲୋର, ଗୁଜୁରାଟ ପରେ ମୁମ୍ବାଇରୁ ଚିହ୍ନଟ ହେଲେ ଓମିକ୍ରନ୍ ଆକ୍ରାନ୍ତ

1 min read

ମୁମ୍ବାଇ: ଭାରତରେ ପୁଣି ଜଣେ ଓମିକ୍ରନ୍ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ । କର୍ଣ୍ଣାଟକ, ଗୁଜୁରାଟ ପରେ ଏବେ ମୁମ୍ବାଇରେ ଚିହ୍ନଟ ହେଲା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ମୁମ୍ବାଇରେ ଏକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଭାରତରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି । ସ୍ଵାସ୍ଥ୍ୟ ବିଭାଗ ଅନୁଯାୟୀ, ୩୩ ବର୍ଷୀୟ ଏହି ବ୍ୟକ୍ତି ନଭେମ୍ବର ୨୪ରେ ଦକ୍ଷିଣ ଆଫ୍ରିକା ରାଜଧାନୀ କେପଟାଉନରୁ ଫେରିଥିଲେ। ସେ ଦୁବାଇ ଏବଂ ଦିଲ୍ଲୀ ଦେଇ ମୁମ୍ବାଇରେ ପହଞ୍ଚିଥିଲେ। ଓମିକ୍ରନ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଜଣଙ୍କ କୌଣସି ଟିକା ମଧ୍ୟ ନେଇ ନାହାନ୍ତି। ତେବେ ଆଶ୍ଵସ୍ତିକର କଥା ହେଉଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକ କରୋନା ନେଗେଟିଭ୍ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀ-ମୁମ୍ବାଇ ବିମାନରେ ତାଙ୍କ ସହ ଯାତ୍ରା କରିଥିବା ୨୫ ଯାତ୍ରୀଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଛି। ମହାରାଷ୍ଟ୍ର ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ କହିଛନ୍ତି, ସଂକ୍ରମିତ ରୋଗୀ ମୁମ୍ବାଇ ସନ୍ନିକଟ କଲ୍ୟାଣ ଡୋମ୍ବିବଲି ନଗରପାଳିକା ଅଞ୍ଚଳକୁ ଆସିଥିଲେ। ଏଠାରେ ଯାଞ୍ଚ ସମୟରେ ହିଁ ସେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ମୁମ୍ବାଇରେ ଆଉ ଏକ ମାମଲା ଚିହ୍ନଟ ହେବା ପରେ ଭାରତରେ ଓମିକ୍ରନ୍ ମାମଲା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । କାହିଁକି ନା ମହାରାଷ୍ଟ୍ରରେ ୩୦ ଜଣଙ୍କ ସାମ୍ପ୍ୟୁଲ ଜେନମ ସିକ୍ବେନ୍ସିଂ ପାଇଁ ପଠାଯାଇଛି । ମହାରାଷ୍ଟ୍ରକୁ ଶୁକ୍ରବାର ସୁଦ୍ଧା ୨ ହଜାର ୮୨୧ ଜଣ ହାଇ ରିସ୍କ ଦେଶରୁ ମୁମ୍ବାଇ ଫେରିଛନ୍ତି । ସେହିପରି ଏକ ପରିବାରର ଚାରି ଜଣ ସଦସ୍ୟ ଦକ୍ଷିଣ ଆଫ୍ରିକାରୁ ରାଜସ୍ଥାନ ଫେରିଛନ୍ତି ଏବଂ ସେମାନଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି । ସ୍ଥାନୀୟ ପ୍ରଶାସନ ଚିହ୍ନଟ ହୋଇଥିବା ସମସ୍ତଙ୍କ ସାମ୍ପ୍ୟୁଲ ଜେନମ ସିକ୍ବେନ୍ସିଂ ପଠାଇଛି ।

 

ଭାରତରେ ଓମିକ୍ରନର ଏହା ହେଉଛି ଚତୁର୍ଥ କେସ୍ । ଏହା ପୂର୍ବରୁ ଗୁରୁବାର କର୍ଣ୍ଣାଟକରୁ ୨ଜଣ ଓ ଗୁଜୁରାଟର ଜାମନଗରରୁ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

Leave a Reply