ସାଂସଦଙ୍କ ଶଳା ମୋବାଇଲ ଓଟିପିରେ ଖୋଲିଥିଲା ଇଭିଏମ୍, ମାମଲା ରୁଜୁ

ମୁମ୍ବାଇ: ଇଭିଏମ କେତେ ସୁରକ୍ଷିତ ତାକୁ ନେଇ ସବୁ ବେଳେ ଚର୍ଚ୍ଚା ଲାଗି ରହିଛି । ଅଭିଯୋଗ ମଧ୍ୟ ହେଉଛି । ୨୦୨୪ ନିର୍ବାଚନ ସରିଛି ଓ ଫଳାଫଳ ଆସି ସାରିଛି । ତୃତୀୟ ଥର ପାଇଁ ଏନଡିଏ କ୍ଷମତାକୁ ଫେରିଥିବା ବେଳେ ବିରୋଧୀ ଗତ ନିର୍ବାଚନ ତୁଳନାରେ ଭଲ କରିଛନ୍ତି । ତେବେ ଏହାରି ଭିତରେ ପୁଣି ଥରେ ଇଭିଏମକୁ ନେଇ ଆସିଛି ଅଭିଯୋଗ । ମୁମ୍ବାଇରେ ଜଣେ ସାଂସଦଙ୍କ ଶଳାଙ୍କ ମୋବାଇଲରୁ ଆସିଥିବା ଓଟିପିରେ ଇଭିଏମ ଖୋଲିଥିବା ଜଣାପଡିଛି । ଏହାକୁ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି ।

ସୂଚନାଯୋଗ୍ୟ, ମୁମ୍ବାଇ ନର୍ଥ ୱେଷ୍ଟରୁ ଜିତିଛନ୍ତି ରବୀନ୍ଦ୍ର ୱେକର୍ । ସେ ହେଉଛନ୍ତି ସିନ୍ଦେ ଗୋଷ୍ଠୀ ଶିବସେନାର ସାଂସଦ । ଅଭିଯୋଗ ଅନୁସାରେ ରବୀନ୍ଦ୍ରଙ୍କ ଶଳା ମଙ୍ଗେଶ ପାଣ୍ଡିଲକରଙ୍କ ମୋବାଇଲକୁ ଆସିଥିବା ଓଟିପି ଜରିଆରେ ଖୋଲିଥିଲା ଗୋଟିଏ ଇଭିଏମ୍ । ଗୋଟିଏ ଗଣତି କେନ୍ଦ୍ରରେ ଏପରି ହୋଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ମଙ୍ଗେଶଙ୍କ ନାଁରେ ଏକ ମାମଲା ରୁଜୁ କରାଯାଇଛି । ଗଣତି କେନ୍ଦ୍ରରେ ମୋବାଇଲ ବ୍ଯବହାର କରିବା ଅଭିଯୋଗରେ ତାଙ୍କ ନାଁରେ ଏହି ମାମଲା ରୁଜୁ କରାଯାଇଛି।

ଏହାସହ ଜଣେ ନିର୍ବାଚନ ଅଧିକାରୀଙ୍କ ନାଁରେ ମଧ୍ଯ ମାମଲା ରୁଜୁ ହୋଇଛି । ମୁମ୍ବାଇ ପୋଲିସର ୩ଟି ଟିମ୍ ଏହି ମାମଲାର ତଦନ୍ତ କରୁଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରବୀନ୍ଦ୍ର ୱେକର ମାତ୍ର ୪୮ ଖଣ୍ଡ ଭୋଟରେ ଉଦ୍ଧବ ଗୋଷ୍ଠୀ ଶିବସେନାର ପ୍ରାର୍ଥୀଙ୍କୁ ହରାଇଛନ୍ତି । ଉଦ୍ଧବ ଗୋଷ୍ଠୀ କହିଛନ୍ତି, ଏହାକୁ ସେମାନେ କୋର୍ଟରେ ଚ୍ଯାଲେଞ୍ଜ  କରିବେ ।