ମୁମ୍ବାଇରେ ୨୪ ଘଣ୍ଟାରେ ୧୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ୩ ମୃତ

1 min read

ମୁମ୍ବାଇ: ସାରା ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା । ବୁଧବାର ସାରା ଦେଶରେ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ମୁମ୍ବାଇରେ ଆଜି କରୋନା ମାମଲା ଦ୍ୱିତୀୟ ଲହରଠାରୁ ସୀମା ଅତିକ୍ରମ କରିଛି । ଗତ ୨୪ ଘଣ୍ଟାରେ ଭାରତର ଆର୍ଥିକ ରାଜଧାନୀରେ ୧୫ ହଜାର ୧୬୬ କୋଭିଡ-୧୯ କେସ୍ ଚିହ୍ନଟ ହୋଇଥିବାବେଳେ ୩ଜଣଙ୍କର ମୃତ୍ୟୁ ହୋଇଛି । ଏପ୍ରିଲ ୨୦୨୧ ଦ୍ୱିତୀୟ ଲହରରେ ମାୟାନଗରୀ ମୁମ୍ବାଇରେ ଗୋଟିଏ ଦିନରେ ୧୧ ହଜାର ୨୦୬ ମାମଲା ଚିହ୍ନଟ ହୋଇଥିଲା । ସେହିପରି ଓମିକ୍ରନ କଥା ଯଦି କହିବା ତାହାଲେ ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୬୫୩ ଜଣ ଚିହ୍ନଟ ହୋଇଛନ୍ତି ।

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମହାରାଷ୍ଟ୍ରରେ ସମସ୍ତ ସିନିୟର କଲେଜକୁ ୧୫ ଫେବୃଆରୀ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପୂର୍ବରୁ ଗତ ସପ୍ତାହରେ ପ୍ରଥମ ଶ୍ରେଣୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ନିଷ୍ପତ୍ତି ରାଜ୍ୟର ସମସ୍ତ ଘରୋଇ ବିଶ୍ୱବିଦ୍ୟାଳୟରେ ଲାଗୁ ହେବ । ତେବେ ଏହି ସମୟ ମଧ୍ୟରେ ସମସ୍ତ ପରୀକ୍ଷା ଅନଲାଇନ ମୋଡରେ ହେବ । ସେହିପରି ସମସ୍ତ ଛାତ୍ରବାସ ମଧ୍ୟ ୧୫ ଫେବ୍ରୁଆରୀ ପର୍ଯ୍ୟନ୍ତ ବନ୍ଦ ରହିବ ।

ବିଗତ କିଛି ଦିନ ମଧ୍ୟରେ ଲଗାତର ଭାବରେ କରୋନା କେସ୍ ବୃଦ୍ଧି ପାଇବାରେ ଲାଗିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ମୁମ୍ବାଇରେ ଓମିକ୍ରନ ଭାରିଆଣ୍ଟର କମ୍ୟୁନିଟି ସ୍ପ୍ରେଡ ଆରମ୍ଭ ହୋଇଯାଇଛି । ତେବେ ଏପରି ସ୍ଥିତିରେ ବମ୍ବେ ମୁନିସିପାଲିଟି କର୍ପୋରେସନ କହିଛି କି ଯଦି ମୁମ୍ବାଇରେ ଗୋଟିଏ ଦିନରେ ୨୦ ହଜାରରୁ ଅଧିକ କେସ୍ ଚିହ୍ନଟ ହେବ ତାହାଲେ ଲକଡାଉନ କରିବା ନେଇ ନିଷ୍ପତ୍ତି ନିଆଯାଇପାରେ ।

 

Leave a Reply