କ୍ଷମା ମାଗିବାକୁ ମନାକଲେ କୁନାଲ: ସିନ୍ଧେ ସମର୍ଥକ କହିଲେ ଯେଉଁଠି ଲୁଚିଲେ ବି ଦେଖିନେବୁ, ପୋଲିସ ଦେଲା ଅଲ୍ଟିମେଟମ୍

ମୁମ୍ବାଇ: ଷ୍ଟାଣ୍ଡଅପ୍ କମେଡିଆନ କୁନାଲ କାମରାଙ୍କୁ ନେଇ ମହାରାଷ୍ଟ୍ର ରାଜନୀତି ଉଷ୍ଣ ହେବାରେ ଲାଗିଛି । ତାଙ୍କ ଉପରେ ପୋଲିସଠାରୁ ଆରମ୍ଭ କରି ରାଜନୈତିକ ଚାପ ବଢ଼ିବାରେ ଲାଗିଛି । ପୋଲିସ କୁନାଲଙ୍କୁ ଅଲ୍ଟିମେଟମ ଦେଇଥିବା ବେଳେ, ଶିବସେନା ସିନ୍ଧେ ଗୋଷ୍ଠୀ ତାଙ୍କୁ ଖୋଲା ଚେତାବନୀ ଦେଇଛି । ଏପରି ସ୍ଥିତିରେ କୁନାଲ ନିଜ କଥାରେ କାଏମ ରହିଛନ୍ତି । ଷ୍ଟାଣ୍ଡଅପ୍ କମେଡିକୁ ନେଉ ସୃଷ୍ଟି ହୋଇଥିବା ବିବାଦକୁ ନେଇ କୁନାଲ କହିଛନ୍ତି, ମହାରାଷ୍ଟ୍ର ସରକାରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ନେଇ ଦେଇଥିବା ଟିପ୍ପଣୀ ଉପରେ କ୍ଷମା ମାଗିବେ ନାହିଁ ।

ସୂଚନାଯୋଗ୍ୟ, କୁନାଲ ମୁମ୍ବାଇରେ ଏକ ଷ୍ଟାଣ୍ଡଅପ୍ ଶୋ କରିଥିଲେ । ଏଥିରେ ସେ ଏକନାଥ ସିନ୍ଧେଙ୍କୁ ନେଇ ଦେଇଥିବା ଏକ ଟିପ୍ପଣୀକୁ ନେଇ ରାଜନୀତି ତେଜ ହୋଇଯାଇଛି । ଏହାପରେ ଶିବସେନା କର୍ମୀ ଶୋ’ ଚାଲିଥିବା ଷ୍ଟୁଡିଓରେ ଭଙ୍ଗାରୁଜା କରିଥିଲେ । ଏହାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଆରମ୍ଭ କରି ଉପମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ବୟାନ ଦେଇଛନ୍ତି । କୁନାଲ ଏକ ବୟାନ ଜାରି କରି ଭଙ୍ଗାରୁଜା ଘଟଣାକୁ ସମାଲୋଚନା କରିଛି । ଏପରିକି କୁନାଲଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି । ଏହାସହ ପୋଲିସ ଆଜି ହାଜର ହେବାକୁ କୁନାଲଙ୍କୁ ନୋଟଇସ ଦେଇଛି ।

କୁନାଲ କାମରା ବିବାଦକୁ ନେଇ ଏକନାଥ ସିନ୍ଧେ କହିଛନ୍ତି, ସମସ୍ତଙ୍କୁ କହିବାର ସ୍ବାଧୀନତା ଅଛି । ଆମେ ବ୍ୟଙ୍ଗକୁ ବି ବୁଝୁଛି । ହେଲେ, ଏହାର ଏକ ନିର୍ଦ୍ଦିଷ୍ଟ ସୀମା ରହିବା ଦରକାର ।

ସେପଟେ କୁନାଲ କ୍ଷମା ମାଗିବାକୁ ମନା କରିବା ପରେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଗୁଲାବ ରଧୁନାଥ କହିଛନ୍ତି, ‘ଯଦି ସେ କ୍ଷମା ମାଗିବେ ନାହିଁ, ତେବେ ଆମେ ଆମ ଷ୍ଟାଇଲେ ତାଙ୍କ ସହ କଥା ହେବୁ । ଶିବସେନା ତାଙ୍କୁ ଛାଡ଼ିବ ନାହିଁ । ଆମେ ଏମିତି ଅପମାନକୁ ବରଦାସ୍ତ କରିବୁ ନାହିଁ । ଯଦି ସେ କ୍ଷମା ନମାଗିବେ ତେବେ ବାହାରକୁ ଆସନ୍ତୁ, ଲୁଚୁଛନ୍ତି କାହିଁକି । ବାହାରକୁ ଆସିବା ପରେ ଶିବସେନା ତାଙ୍କ ନିଜ ଦମ ଦେଖାଇବ ।