ମୁମ୍ବାଇ ଡ୍ରଗ୍ସ ମାମଲା: ଏନସିବିର ଭିଜିଲାନ୍ସ ଟିମକୁ ତଦନ୍ତରେ ସହଯୋଗ କରୁନି ମୁମ୍ବାଇ ପୋଲିସ୍

ମୁମ୍ବାଇ: ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ଓ୍ୱାଙ୍ଖଡେଙ୍କ ବିରୋଧରେ ତଦନ୍ତ ଲାଗି ସହଯୋଗ କରାଯାଉନାହିଁ । ଆର୍ଯ୍ୟନ ଖାନଙ୍କ ଗିରଫଦାରୀ ମାମଲାରେ ମୁଖ୍ୟ ସାକ୍ଷୀ କିରଣ ଗୋସାଭିଙ୍କୁ ଜେରା ଲାଗି ସୁଯୋଗ ଦିଆଯାଉ ନଥିବାବେଳେ ଏନେଇ ମୁମ୍ବାଇ ପୋଲିସ ବି ସହଯୋଗ କରୁନାହିଁ । ଫଳରେ ଓ୍ୱାଙ୍ଖଡେଙ୍କ ବିରୋଧରେ ଏନସିବିର ଭିଜିଲାନ୍ସ ତଦନ୍ତକାରୀ ଟିମ୍ ସମସ୍ୟାର ସମ୍ମୁଖୀନ ହୋଇଛି । ଗୋସାଭିଙ୍କ ବଡିଗାର୍ଡ ପ୍ରଭାକର ସାଇଲ ଅଭିଯୋଗ କରିଥିଲେ ଯେ, ଆର୍ଯ୍ୟନଙ୍କ ମୁକ୍ତି ଲାଗି ୨୫ କୋଟି ଟଙ୍କାର ଡିଲ୍ ନେଇ ଗୋସାଭି ଆଲୋଚନା କରିଥିଲେ । ଏହି ଟଙ୍କାରୁ ୮ କୋଟି ଟଙ୍କା ଓ୍ୱାଙ୍ଖଡେଙ୍କୁ ଦେବା ବିଷୟରେ ଗୋସାଭି କଥା ହୋଇଥିବା ସେ ଶୁଣିଥିଲେ । ପ୍ରଭାକରଙ୍କ ଏହି ବୟାନ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ଏବଂ ଗୋସାଭିଙ୍କ ଭୂମିକାକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା ।

ପୁଣେରୁ ଗିରଫ ହୋଇଥିବା ଗୋସାଭିଙ୍କୁ ଜେରା କରିବା ଲାଗି ଭିଜିଲାନ୍ସ ଟିମ୍ ବାରମ୍ବାର ଉଦ୍ୟମ କରୁଥିଲେ ବି ଏହା କରାଇ ଦିଆଯାଉନାହିଁ । ଏନସିବିର ଭିଜିଲାନ୍ସ ଟିମର ବିଭିନ୍ନ ଅନୁରୋଧକୁ ମୁମ୍ବାଇ ପୋଲିସ ଗ୍ରହଣ କରୁନାହିଁ । ଏପରିକି ସିସିଟିଭି ଫୁଟେଜକୁ ହସ୍ତାନ୍ତର ମଧ୍ୟ କରାଯାଉନାହିଁ । ଗତ ସୋମବାର ଏନସିବିର ଉପମହାନିର୍ଦ୍ଦେଶକ ଜ୍ଞାନେଶ୍ୱର ସିଂହଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ଭିଜିଲାନ୍ସ ଟିମ୍ ମୁମ୍ବାଇ ଆସିଥିଲେ । ମାତ୍ର ବର୍ତ୍ତମାନ ସୁଦ୍ଧା ତଦନ୍ତ ପ୍ରକ୍ରିୟାରେ ବିଶେଷ ଅଗ୍ରଗତି ହୋଇପାରିନାହିଁ । ଏହି ଟିମକୁ ବିଶେଷ ତଥ୍ୟ ଦିଆଯାଉ ନଥିବାବେଳେ ପ୍ରଥମେ ଅନଲାଇନ ସାଇଟ ଗୁଡିକରେ ଖବର ଦିଆଯାଉଛି ବୋଲି ଟିମ୍ ଅଭିଯୋଗ କରିଛି । ସେପଟେ ଜାଲ୍ ଜାତିଗତ ପ୍ରମାଣପତ୍ର ପ୍ରସଙ୍ଗରେ ମୁମ୍ବାଇ ପୋଲିସ ସମୀର ଓ୍ୱାଙ୍ଖଡେଙ୍କୁ ଜେରା କରିଛି । ମୁମ୍ବାଇ ପୋଲିସର ଜଣେ ସହକାରୀ କମିଶନରଙ୍କ ନିକଟରେ ସେ ନିଜର ସମସ୍ତ ଦସ୍ତାବିଜ ଦାଖଲ କରିଛନ୍ତି ।

Leave a Reply