spot_img

Latest Posts

ମୁମ୍ବାଇ ହିଟ୍ ଆଣ୍ଡ ରନ ମାମଲା : ଜୁଲାଇ ୧୬ ଯାଏଁ ପୋଲିସ ହେପାଜତକୁ ଗଲା ଅଭିଯୁକ୍ତ ମିହିର

ନୂଆଦିଲ୍ଲୀ : ମୁମ୍ବାଇ ହିଟ୍ ଆଣ୍ଡ ରନ ମାମଲା। ଆସନ୍ତା ଜୁଲାଇ ୧୬ ଯାଏଁ ପୋଲିସ ହେପାଜତକୁ ଗଲା ଅଭିଯୁକ୍ତ ମିହିର ଶାହ। ଗତ ମଙ୍ଗଳବାରୁ ତାକୁ ଗିରଫ କରିଥିଲା ପୋଲିସ। ଦୁର୍ଘଟଣା ପରେ ମିହିର ନିଜ ପରିଚୟ ଲୁଚାଇବା ଲାଗି କାର ଭିତରେ ନିଜର କେଶ କାଟିବା ସହ ଦାଢି ସଫା କରିଥିବା କହିଛି ପୋଲିସ। ତେଣେ ଦୁର୍ଘଟଣା ପରେ ଅଭିଯୁକ୍ତ ଜଣକ ନିଜର ଗର୍ଲଫ୍ରେଣ୍ଡଙ୍କୁ ୪୦ ଥର ଫୋନ କରିଥିବା ସୂଚନା ମିଳିଛି। ସେହି ଗର୍ଲଫ୍ରେଣ୍ଡକୁ ପୋଲିସ ଜେରା କରିପାରେ।

ଗତକାଲି ଜୁହୁସ୍ଥିତ ବାରକୁ ଭାଙ୍ଗିଥିଲା ପ୍ରଶାସନ। ସେହି ବାରରେ ୨୪ ବର୍ଷ ବୟସ୍କ ଅଭିଯୁକ୍ତ ମିହିର ଶାହ ଆଲକୋହଲ ନେଇଥିବା ସୂଚନା ମିଳିଥିଲା। ପରେ ଅବକାରୀ ବିଭାଗର ରିପୋର୍ଟ ଆଧାରରେ ବାରକୁ ଭାଙ୍ଗିଦିଆଯାଇଛି। ମଦ୍ଯପାନ କରିବାର ଆଇନଯୋଗ୍ଯ ବୟସ ୨୫ ବର୍ଷ ଥିବାବେଳେ ଏହାଠାରୁ କମ୍ ବୟସର ପିଲାଙ୍କୁ ମଦ ଦେଇଥିବା ଅଭିଯୋଗ କ୍ରମେ ଭାଇସ ଗ୍ଲୋବାଲ ତାପସ ବାର୍ ଉପରେ ରେଡ କରାଯାଇଛି। ଏହି ବାରକୁ ବେଆଇନ ଭାବେ ନିର୍ମାଣ କରାଯାଇଥିବାବେଳେ କମ୍ ବୟସର ପିଲାଙ୍କୁ ମଦ ବିକିବା ନେଇ ଅଭିଯୋଗ ହୋଇଥିଲା।

ମହାରାଷ୍ଟ୍ର ରାଜନୀତିଜ୍ଞ ତଥା ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହଯୋଗୀ ରାଜେଶ ଶାହଙ୍କ ପୁଅ ଥିଲା ମିହିର। ତାକୁ ଗତ ୯ ଜୁଲାଇରେ ବିରାରସ୍ଥିତ ଆପାର୍ଟମେଣ୍ଟରୁ ଗିରଫ କାରଯାଇଥିଲା। ସେହିପରି ପୁଅକୁ ସହାୟତା କରିବା ଅଭିଯୋଗରେ ଶାହପୁରରୁ ଗିରଫ ହୋଇଥିଲେ ମିହିରର ମା ଓ ଭଉଣୀ। ବାପା ରାଜେଶ ଓ ଡ୍ରାଇଭର ରାଜର୍ଷି ବିଦାୱତକୁ ଗତ ୭ ଜୁଲାଇରେ ଗିରଫ କରିଥିଲା ପୋଲିସ। ସେହି ବାରରେ ମିହିର ତାର ୪ ସାଙ୍ଗଙ୍କ ସହ ୧୮ ହଜାର ୭୩୦ ଟଙ୍କା ଖର୍ଚ୍ଚ କରିଥିବା ଜଣାଯାଇଛି। ବିଏମଡବ୍ଲୁ କ୍ରାସରେ ସ୍ବାମୀ ପ୍ରଦୀପ ନଖୱା ଆହତ ହୋଇଥିବାବେଳେ ୪୫ ବର୍ଷ ବୟସ୍କା ପତ୍ନୀ କାବେରୀ ପ୍ରାଣ ହରାଇଥିଲେ।

ସିସିଟିଭି ଫୁଟେଜ ଅନୁସାରେ ବାଇକକୁ ବିଏମଡବ୍ଲୁ କାର ପ୍ରାୟ ଦେଢ କିଲୋମିଟର ଘୋଷାଡି ନେଇଥିଲା। ଦୁର୍ଘଟଣା ପରେ କାର ତଳୁ ମହିଳାଙ୍କ ଶବକୁ ମିହିର ବାହାର କରିଥିବାବେଳେ ଡ୍ରାଇଭର ବିଦାୱତକୁ ଗାଡି ଚାଳନା କରିବା ଲାଗି କହିଥିଲା। ସେପଟେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହିଳାଙ୍କ ଘରକୁ ଯାଇ ଶୋକସନ୍ତପ୍ତ ପରିବାକୁ ଭେଟିଛନ୍ତି ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ଆଦିତ୍ଯ ଠାକରେ। ତେଣେ ମିହିରଙ୍କ ବାପା ରାଜେଶଙ୍କୁ ସମସ୍ତ ଦଳୀୟ ପଦପଦବିରୁ ଅନ୍ତର କରାଯାଇଛି।

Latest Posts

Don't Miss