ଆମେରିକାରେ ପୁଣି ଗର୍ଜିଲା ବନ୍ଧୁକ, ସ୍କୁଲରେ ପଶି ଆଖିବୁଝା ଗୁଳିମାଡ଼ କଲା ବନ୍ଧୁକଧାରୀ, ୩ ଶିଶୁ ମୃତ

ୱାସିଂଟନ ଡିସି: ଆମେରିକାରେ ପୁଣି ଗୋଟେଥର ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି । କୁହାଯାଉଛି ଯେ ଆକ୍ରମଣକାରୀ ଏଥର ଏକ ସ୍କୁଲରେ ଆଖିବୁଝା ଗୁଳିମାଡ଼ କରିଛି । ଏଥିରେ ତିନି ଶିଶୁଙ୍କ ମୃତ୍ୟୁ ହୋଇଯାଇଛି । ତେବେ ମୃତକଙ୍କ ସଂଖ୍ୟା ଆହୁରି ମଧ୍ୟ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । କୁହାଯାଉଛି ଯେ ପୋଲିସ ପାଲଟା ଜବାବରେ ବନ୍ଧୁକଧାରୀକୁ ନିହତ କରିଛି । ସୂଚନା ମୁତାବକ, ଆକ୍ରମଣକାରୀ ସୋମବାର ଟେନେସିର ନ୍ୟାସଭିଲେରେ ଏକ ସ୍କୁଲରେ ଗୁଳିମାଡ଼ କରିଥିଲା । ପୋଲିସ ପହଞ୍ଚିବା ପୂର୍ବରୁ ଅନେକ ଲୋକ ଏହି ଗୁଳିମାଡ଼ର ଶିକାର ହୋଇଯାଇଥିଲେ ।

ନ୍ୟାଶଭିଲେ ପୋଲିସ ଟ୍ୱିଟ୍ କରି କହିଛି ଯେ କନଭେଣ୍ଟ ସ୍କୁଲ କୋଭେନେଣ୍ଟ ପ୍ରେସଭିଟେରିୟନ ଚର୍ଚ୍ଚରେ ଏକ ଗୁଳିମାଡ଼ର ଘଟଣା ଘଟିଛି । ଆକ୍ରମଣକାରୀକୁ ପୋଲିସ ଘେରିଯିବା ସହ ମାରି ଗଡ଼ାଇଛି । ତେବେ ଏହା ପୂର୍ବରୁ କାର୍ଲିଫୋନିଆ ସ୍ଥିତ ସାକ୍ରାମେଣ୍ଟୋ କାଉଣ୍ଟିରେ ରବିବାର ବିଳମ୍ବିତ ରାତିରେ ଏକ ଗୁରୁଦ୍ୱାରରେ ଫାୟାରିଙ୍ଗର ଖବର ସାମ୍ନାକୁ ଆସିଥିଲା । ଏଠାରେ ତିନି ଜଣଙ୍କ ମଧ୍ୟରେ ଗୁଳିମାଡ଼ ହୋଇଥିଲା । ଦୁଇଜଣଙ୍କୁ ଗୁଳି ଲାଗିଥିଲା । ଏବେ ସେମାନଙ୍କ ସ୍ଥିତି ଗୁରୁତର ଅଛି ।