ଶେଷ ପର୍ଯ୍ୟାୟରେ ମଲ୍ଟି ଲେବେଲ ପାର୍କିଂ କାମ: ଚାରି ମାସ ମଧ୍ୟରେ ଦୂର ହେବ ପାର୍କିଂ ସମସ୍ୟା

1 min read

ଭୁବନେଶ୍ୱର:  ଚାରି ମାସ ମଧ୍ୟରେ ଭୁବନେଶ୍ୱରରେ ଦୂର ହେବାକୁ ଯାଉଛି ପାର୍କିଂ ସମସ୍ୟା । ସେଥିପାଇଁ ସହିଦ ନଗର ଓ ୟୁନିଟ ୨ରେ ଚାଲିଥିବା ମଲ୍ଟି ଲେବେଲ ପାର୍କିଂ କାମ ଶେଷ ପଯ୍ୟାୟରେ । ବିଲଡିଂ କାର୍ଯ୍ୟକ୍ଷମ ହେଲେ ସ୍ମାର୍ଟ ସିଟିର ପାର୍କିଂ ସହ ଟ୍ରାଫିକ ସମସ୍ୟାର ବି ହେବ ସମାଧାନ ।

ଏଣିକି ରାଜଧାନୀ ରାଜରାସ୍ତାରେ ଏଣେତେଣେ କେହି ରଖିପାରିବେନି ଯାନବାହନ । ସ୍ମାର୍ଟ ସିଟିର ପାର୍କିଂ ଓ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ବିଏମସି ପ୍ରସ୍ତୁତ କରିଛି ନୂଆ ପାର୍କିଂ ପଲିସି । ଶହିଦ ନଗର ଓ ୟୁନିଟ-୨ରେ ମୋଟ ୭୮କୋଟି ବିନିଯୋଗରେ ନିର୍ମାଣ ହେଉଛି ଦୁଇଟି ବହୁତଳ ପାର୍କିଂ ପ୍ଲେସ । ଉଭୟ ସ୍ଥାନରେ ଏକକାଳୀନ ରହିପାରିବ ୫ଶହରୁ ଅଧିକ ଗାଡି । ମାର୍ଚ୍ଚ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଛି ବିଏମସି ।

ମଲ୍ଟି ଷ୍ଟୋରେଡ଼ ପାର୍କିଂ ହେବା ଦ୍ୱାରା ଲୋକମାନେ ଅନେକ ସୁବିଧା ପାଇପାରିବେ ।  ଯାହା ଦ୍ୱାରା ଗାଡି ମାଲିକଙ୍କୁ ଗାଡି ରଖିବା ପାଇଁ ସମସ୍ୟା ହେବନାହିଁ। ବିଏମସିର ଏଭଳି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି । ତେବେ ଏଥିପାଇଁ ଲୋକେ ସଚେତନ ହୋଇ ପାର୍କିଂ ପ୍ଲେସରେ ଗାଡି ରଖିବା ଆବଶ୍ୟକତା ରହିଛି । ଅନ୍ୟପଟେ ପାର୍କିଂ ପାଇଁ ଲୋକଙ୍କୁ ସୁବିଧା ମୁତାବକ ଟଙ୍କା ରଖାଗଲେ ଏହି ଯୋଜନା ସଫଳ ହୋଇପାରିବ । ଏହି ବ୍ୟବସ୍ଥା ହେବା ଦ୍ୱାରା ରାଜଧାନୀର ଉଭୟ ପାର୍କିଂ ଓ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି।

Leave a Reply