ମଲ୍ଟି ଡ୍ରଗ୍ସ ରେସିଷ୍ଟାଣ୍ଟ୍ ପ୍ରଭାବ: ସହଜରେ ଯକ୍ଷ୍ମାରୁ ଭଲ ହୋଇ ପାରୁ ନାହାନ୍ତି ପିଲା
ଭୁବନେଶ୍ବର: ମଲଟି ଡ୍ରଗସ୍ ରେସିଷ୍ଟାନସ ଯୋଗୁଁ ଯାହାକୁ ଯକ୍ଷ୍ମା ହେଉଛି, ସହଜରେ ସେ ଭଲ ହେଉ ନାହାନ୍ତି । ବିଶେଷ କରି ପିଲାଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ । ନବଜାତଠାରୁ ଆରମ୍ଭ କରି ତରୁଣ ତରୁଣୀଙ୍କ କ୍ଷେତ୍ରରେ ଏହା ହେଉଛି । ଏହାର ମୁଖ୍ୟ କାରଣ ହେଉଛି ଡ୍ରଗସ୍ ରେସିଷ୍ଟାନସ । କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅନୁଧ୍ୟାନରୁ ଜଣାପଡ଼ିଛି, ନିଜେ ନିଜେ ମନ ଇଚ୍ଛା ଔଷଧ କିଣି ଖାଉଥିବାରୁ ଏହି ସମସ୍ୟା ହେଉଛି । ଏପରି ନ କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।
ଛୋଟ ପିଲାଙ୍କୁ ହେଉଛି ଯକ୍ଷ୍ମା । ଯଦି ଗର୍ଭବତୀଙ୍କୁ ଯକ୍ଷ୍ମା ହୁଏ, ତାଙ୍କ ସନ୍ତାନକୁ ମଧ୍ୟ ଯକ୍ଷ୍ମା ହେବାର ଆଶଙ୍କା ଅଛି । ଏପରିକି ବାହାର ସଂକ୍ରମଣ ଯୋଗୁଁ ଯକ୍ଷ୍ମାରେ ୫ ବର୍ଷରୁ କମ ବୟସର ପିଲାଙ୍କ ଜୀବନ ଯାଉଛି । ୧୮ରୁ ୧୯ ବର୍ଷ କିଶୋର କିଶୋରୀ ବି ଯକ୍ଷ୍ମାରେ ଆକ୍ରାନ୍ତ ହେଉଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକାର ୧୯ ବର୍ଷରୁ କମ୍ ବୟସର ୨୩ ହଜାର ୩୬୯ ପିଲାଙ୍କ ଉପରେ ୪୨ ପ୍ରକାର ବିଶ୍ଲେଷଣ କରି ଏହି ଉଦବେଗଜନକ ତଥ୍ୟ ପାଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ବୈଜ୍ଞାନିକ । ଏଥିପାଇଁ ମଲ୍ଟି ଡ୍ରଗସ୍ ରେସିଷ୍ଟାଣ୍ଟ୍ ଓ ରିଫାମ୍ସିନ୍ ରେସିଷ୍ଟାଣ୍ଟ୍ ଦାୟୀ । ରିଫାମ୍ସିନ୍ ଔଷଧ ଯକ୍ଷ୍ମାକୁ ଭଲ କରିବା ପାଇଁ ବ୍ୟବହାର କରାଯାଏ । ଯଦି ପିଲାଟିର ଓଜନ କମୁଛି, କାଶ, କଫ, ଥଣ୍ଡା ସହ ଜ୍ବର ଅଧିକ ଦିନ ଲାଗି ରହୁଛି ତା’ହେଲେ ସେହି ପିଲାକୁ ତୁରନ୍ତ ଛାତି ରୋଗ ବିଶେଷଜ୍ଞଙ୍କୁ ଦେଖାଇବା ଦରକାର । ନହେଲେ ଭିତରେ ଭିତରେ ସେ ଯକ୍ଷ୍ମାରେ ଆକ୍ରାନ୍ତ ହେବାର ଆଶଙ୍କା ଅଛି ।
ସାଧାରଣତଃ ପିଲାଙ୍କୁ ଥଣ୍ଡା କାଶ ହେଲେ ମାଆବାପା ନିଜେ ନିଜେ ଔଷଧ ଦୋକାନରୁ ମେଡିସିନ୍ କିଣି ଦେଇଥାନ୍ତି । ହେଲେ ଏଭଳି କରିବା ଭୁଲ । ଥଣ୍ଡା ଓ କାଶ କିମ୍ବା ଜ୍ଵର ଯଦି ୩ ସପ୍ତାହରୁ ଅଧିକ ଦିନ ଲାଗି ରହୁଛି, ତା’ହେଲେ ଛାତି ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଉଚିତ । ବିଶେଷଜ୍ଞ କହୁଛନ୍ତି, ମନଇଚ୍ଛା ନିଜେ ଔଷଧ କିଣି ଆଣି କିମ୍ଵା କ୍ଵାକରୁ ଔଷଧ ନେଇ ପିଲାକୁ ଦେବା ଅନୁଚିତ । ଭାରତରେ ବିନା ପ୍ରେସକ୍ରିପସନରେ ଅଧିକ ଔଷଧ କାରବାର ହେଉଥିବାରୁ ପିଲା ଓ ତରୁଣଙ୍କ ଶରୀରରେ ଔଷଧର ପାର୍ଶ୍ଵ ପ୍ରତିକ୍ରିୟା ଅଧିକ ଦେଖାଯାଉଛି । ଗବେଷଣାରୁ ଜଣାପଡ଼ିଛି ମଲଟି ଡ୍ରଗ୍ସ ରେସିଷ୍ଟାଣ୍ଟ୍ ଯୋଗୁ ଭାରତରେ ୯୦ ପ୍ରତିଶତ ପିଲାଙ୍କ ଦେହରେ ଯକ୍ଷ୍ମା ରୋଗର ଲକ୍ଷଣ ଦେଖାଦେଉଛି ।