କ୍ଷମତା ପାଇଁ ମୁହାଁମୁହିଁ ହେଲେ ତାଲିବାନର କମାଣ୍ଡର,ଗୁଳି ମାଡ଼ରେ ବରାଦର ଆହତ

1 min read

କାବୁଲ : ଆଫଗାନିସ୍ତାନ ଉପରେ ତାଲିବାନର କବଜାକୁ ଦୁଇ ସପ୍ତାହରୁ ଅଧିକ ହୋଇ ସାରିଥିଲେ ମଧ୍ୟ କିଏ ଶାସନ ମୁଖ୍ୟ ହେବ ତାକୁ ନେଇ କିଛି ମଧ୍ୟ ନିଷ୍ପତ୍ତି ହୋଇ ପାରିନାହିଁ । କିଏ କ୍ଷମତାର ମଙ୍ଗ ଧରିବ ତାକୁ ନେଇ ପାକିସ୍ତାନ ସମର୍ଥିତ ହକ୍କାନୀ ନେଟୱର୍କ ଓ ତାଲିବାନ ନେତୃତ୍ୱ ମଧ୍ୟରେ ସଂଘର୍ଷ ହୋଇଥିବା ଖବର ଆସୁଛି । ମିଳୁଥିବା ସୂଚନା ଅନୁସାରେ ତାଲିବାନର ସହ ପ୍ରତିଷ୍ଠାତା ଅବ୍ବଦୁଲ ଗନି ବରାଦର ଓ ହକ୍କାନୀ ନେଟୱର୍କ ମଧ୍ୟରେ ଏହାକୁ ନେଇ ରକ୍ତାକ୍ତ ସଂଘର୍ଷ ହୋଇଛି । ଏହି ସଂଘର୍ଷରେ ଅବଦୁଲ ଗନି ବରାଦରକୁ ଗୁଳି ଲାଗିଥିବା କୁହାଯାଉଛି । କୁହାଯାଉଛି ଯେ, ହକ୍କାନୀ ଗ୍ରୁପର ଗୁଳିମାଡରେ ବରାଦର ଆହତ ହୋଇଛି ।

ପଂଜଶୀର ଅବଜର୍ଭର ନାମକ ଆଫଗାନୀ ୱେବସାଇଟ୍ ଏଭଳି ଦାବି କରିଛି । ଅବଜର୍ଭର ଅନୁସାରେ ଶନିବାର ରାତିରେ ବରାଦର ଓ ହକ୍କାନୀ ନେଟୱର୍କର ମୁଖିଆ ଅନସ ହକ୍କାନୀ ମଧ୍ୟରେ କ୍ଷମତା ବଣ୍ଟନକୁ ନେଇ କଥା କଟାକଟି ହୋଇଥିଲା । ପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପଂଜଶୀର ଘେରାବନ୍ଦୀକୁ କେମିତି ଶେଷ କରାଯିବ ତାକୁ ନେଇ ଆଲୋଚନା ଚାଲିଥିବା ବେଳେ ଏଭଳି ଘଟିଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ପଂଜଶୀର ବିବାଦର ସମାଧାନକୁ ନେଇ ଅସହମତି ରହିଛି । ମୁଲ୍ଲା ବରାଦର ଓ ହକ୍କାନୀର ସମର୍ଥକଙ୍କ ମଧ୍ୟରେ ଏହାକୁ ନେଇ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ବରାଦର ଆହତ ହୋଇଥିଲା ।


ଅନ୍ୟପକ୍ଷରେ ନର୍ଦ୍ଦନ ଆଲାଏନ୍ସ ମଧ୍ୟ ଟ୍ୱିଟ୍ କରି ଏହି ଘଟଣା ବାବଦରେ ସୂଚନା ଦେଇଛି । ନର୍ଦ୍ଦର୍ଣ୍ଣ ଆଲଏନ୍ସ ଅନୁସାରେ ବରାଦର ପଂଜଶୀରରୁ ତାଲିବାନୀ ଯୋଦ୍ଧା ଫେରି ଆସନ୍ତୁ ବୋଲି ଚାହୁଁଛି । ଯାହାକୁ ହକ୍କାନୀ ବିରୋଧ କରୁଛି । ଆଲାଏନ୍ସ ଅନୁସାରେ ଗୁରୁତର ଆହତ ବରାଦରକୁ ଚିକିତ୍ସା ପାଇଁ ପାକିସ୍ତାନ ନିଆଯାଇଛି । ତାଲିବାନ ମଧ୍ୟରେ ଚାଲିଥିବା ଏହି କ୍ଷମତା ସଂଘର୍ଷକୁ ନେଇ ମିଡିଆ କାହିଁକି ଚୁପ୍ ଅଛି ବୋଲି ଆଲାଏନ୍ସ ପ୍ରଶ୍ନ କରିଛି ।
କେବଳ ନର୍ଦ୍ଦର୍ଣ୍ଣ ଆଲାଏନ୍ସ ନୁହେଁ ଆଫଗାନିସ୍ତାନର ଜଣେ ପୂର୍ବତନ ମହିଳା ସାଂସଦ ମରିୟମ ସୋଲେମାନଖିଲ ମଧ୍ୟ ଏଭଳି ଦାବି କରିଛନ୍ତି । ତାଙ୍କ ଅନୁସାରେ ହକ୍କାନୀ ନେଟୱର୍କର ଅନସ ହକ୍କାନୀ ଓ ଖଲିଲ ହକ୍କାନୀର ତାଲିବାନ ନେତା ମୁଲ୍ଲା ବରାଦର ଓ ମୁଲ୍ଲା ୟାକୁବ ସହିତ ଝଗଡା ହୋଇଛି । ମୁଲ୍ଲା ବରାଦର ଆଫଗାନିସ୍ତାନର ଶାସନ ମୁଖ୍ୟ ହେବା ପାକିସ୍ତାନ ଚାହୁଁ ନାହିଁ ବୋଲି ସେ ଦାବି କରିଛନ୍ତି ।
ତାଲିବାନ ମଧ୍ୟରେ ଏଭଳି ସଂଘର୍ଷ ଖବରରେ କିଛି ସତ୍ୟତା ଥିବା ଜଣା ପଡୁଛି । କାରଣ ରବିବାର ଦିନ ପାକ୍ ଗୁଇନ୍ଦା ଏଜେନ୍ସୀ ଆଇଏସଆଇର ମୁଖ୍ୟ ଆଫଗାନିସ୍ତାନରେ ପହଂଚିଛନ୍ତି । ଶାସନରେ ହକ୍କାନୀ ନେଟୱର୍କକୁ ଅଧିକ ଗୁରୁତ୍ୱ ଯେମିତି ମିଳିବ ତାହା ପାକିସ୍ତାନର ଲକ୍ଷ୍ୟ ।
ସୂଚନାଯୋଗ୍ୟ ଯେ, ମୁଲ୍ଲା ୟାକୁବ ହେଉଛି ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ଓମାରର ପୁଅ । ମୁଲ୍ଲା ଓମାର ତାଲିବାନ ସେନା ଆୟୋଗର ମୁଖ୍ୟ ହେବାକୁ ଇଛା ରଖିଛି । କାରଣ ଏହା ତାଲିବାନରେ ସମ୍ମାନଜନକ ପଦ ହେବା ସହିତ ସାମିରକ ବାହିନୀ ତା’ ନିୟନ୍ତ୍ରଣରେ ରହିବ । ତେବେ ହକ୍କାନୀ ଗ୍ରୁପ ଏହାକୁ ବିରୋଧ କରୁଛନ୍ତି । ହକ୍କାନୀ ଗ୍ରୁପକୁ କାବୁଲ ସୁରକ୍ଷା ଭାର ଦିଆଯିବାକୁ ନେଇ ମଧ୍ୟ ୟାକୁବ ଅସନ୍ତୁଷ୍ଠ ଥିଲା । ବରାଦର ଓ ୟାକୁବ ପାକିସ୍ତାନ ନିୟନ୍ତ୍ରଣରେ ରହିବେ ନାହିଁ ବୋଲି ପାକିସ୍ତାନ ମନେ କରୁଛି ।

Leave a Reply