ମୁକ୍ତିମଣ୍ଡପର ମତ: ପରିସ୍ଥିତି ଦୃଷ୍ଟିରୁ ରଥଯାତ୍ରା ବନ୍ଦ ହେଲେ କିଛି ଅସୁବିଧା ନାହିଁ

ପୁରୀ : କରୋନାକୁ ନେଇ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବ କି ନାହିଁ ତାକୁ ନେଇ ସଂଦେହ ଲାଗି ରହିଛି । ସାମାଜିକ ଦୂରତା ବଜାୟ ରଖି ରଥଯାତ୍ରା ଆୟୋଜନ କରିବା ପ୍ରଶାସନ ପାଇଁ ଗୋଟିଏ ବଡ ଚ୍ୟାଲେଂଜ । ଏହାରି ଭିତରେ ସୋମବାର ଦିନ ମୁକ୍ତିମଣ୍ଡପ ରଥଯାତ୍ରାକୁ ନେଇ ବଡକଥା କହିଛି । ମୁକ୍ତିମଣ୍ଡପ କହିଛି ଯେ,କୌଣସି କାରଣରୁ ରଥଯାତ୍ରା ଆଯୋଜିତ ହୋଇ ନପାରେ ତେବେ କିଛି ଅସୁବିଧା ନାହିଁ । କାରଣ ଆଗରୁ ମଧ୍ୟ ଅନେକ ଥର ରଥଯାତ୍ରା ବନ୍ଦ ରହିଛି ।

ଅତୀତରେ ରଥଯାତ୍ରା ବନ୍ଦର ଉଦାହରଣ ଦେଇ ମୁକ୍ତିମଣ୍ଡପ ତରଫରୁ କୁହାଯାଇଛି ଯେ, ୩୨୭ ବର୍ଷ ତଳେ ବିଧର୍ମୀଙ୍କ ପୁରୀ ଉପରେ ଆକ୍ରମଣ ସମୟରେ ରଥଯାତ୍ରା ଅନୁଷ୍ଠିତ ହୋଇ ପାରିନଥିଲା । ସଂପ୍ରତିକ ସମୟରେ କରୋନା କାରଣରୁ ସୃଷ୍ଟି ହୋଇଥିବା ବିପଦ କାରଣରୁ ଯଦି ରଥଯାତ୍ରାକୁ ବନ୍ଦ ହୁଏ ତେବେ କିଛି ଅସୁବିଧା ନାହିଁ । ଭକ୍ତ,ସେବାୟତଙ୍କ ସୁରକ୍ଷା କାରଣରୁ ରଥଯାତ୍ରା ବନ୍ଦ କରିବାରେ କିଛି ଅସୁବିଧା ନାହଁ ।

 

କରୋନା କାରଣରୁ ରଥଯାତ୍ରା ନେଇ ମୁକ୍ତିମଣ୍ଡପ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ ରଥଯାତ୍ରା ବନ୍ଦ କରିବାରେ କୌଣସି ଅସୁବିଧା ନାହିଁ ବୋଲି କୁହାଯିବା ସହ କିଛି ବିକଳ୍ପ ବ୍ୟବସ୍ଥା କଥା ମଧ୍ୟ ଉଲ୍ଲେଖ କରାଯାଇଛି । ଯେମିତିକି ରାସ୍ତା ଅବରୋଧ କରି କେବଳ ପୋଲିସ ଯବାନଙ୍କ ଦ୍ୱାରା ରଥଯାତ୍ରା । ଏଥିରେ କୁହାଯାଇଛି ଯେ, ପୁରୀର ସବୁ ରାସ୍ତା ବନ୍ଦ କରି ରଥଯାତ୍ରା କରାଯାଉ । ଦୁରଦର୍ଶନରେ ମାଧ୍ୟମରେ ରଥଯାତ୍ରା ଭକ୍ତ ଘରୁ ଦେଖିପାରିବେ ବୋଲି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

Leave a Reply