୨୫ ପୌରସଂସ୍ଥାରେ ଶୀଘ୍ର କାର୍ଯ୍ୟକାରୀ ହେବ ମୁକ୍ତା ସଫ୍ଟ ଆପ୍

ଭୁବନେଶ୍ବର: ରାଜ୍ୟର ୨୫ଟି ପୌରସଂସ୍ଥାରେ ଶୀଘ୍ର କାର୍ଯ୍ୟକାରୀ ହେବ ମୁକ୍ତା ସଫ୍ଟ ଆପ୍ । ଓ୍ବେବ୍ ଆଧାରିତ ଆପ୍ କାର୍ଯ୍ୟକ୍ରମ ରୂପାୟନରେ ନିର୍ଣ୍ଣାୟକ ସାବ୍ୟସ୍ତ ହେବ । ସହରାଞ୍ଚଳର ଗରିବ ଅଧିବାସୀଙ୍କ ଜୀବିକା ସୁରକ୍ଷା ନିମନ୍ତେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ବା ‘ମୁକ୍ତା’ ରାଜ୍ୟ ସରକାରଙ୍କ ଅଭିନବ ପଦକ୍ଷେପ । ୧୧୫ଟି ପୌର ସଂସ୍ଥାରେ ସହରାଞ୍ଚଳ ଶ୍ରମିକ ଓ ପ୍ରବାସୀ ଶ୍ରମିକଙ୍କୁ ଜୀବିକା ସୁଯୋଗ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଶ୍ରମିକଙ୍କୁ ସଠିକ ସମୟରେ ମଜୁରୀ ପ୍ରଦାନ ନିମନ୍ତେ ରାଜ୍ୟ ସରକାର ଓ୍ବେବ୍ ଆଧାରିତ ଆପ୍ ‘ମୁକ୍ତା ସଫ୍ଟ‘ କାର୍ଯ୍ୟକାରୀ କରୁଛନ୍ତି ।

ଢେଙ୍କାନାଳ ଓ ଜଟଣୀରେ ଏହାକୁ ପାଇଲଟ ପ୍ରୋଜେକ୍ଟ ଭାବେ କାର୍ଯ୍ୟକାରୀ କରାଯାଇ ସଫଳତା ମିଳିଛି । ଏବେ ମୁକ୍ତା ସଫ୍ଟ ରାଜ୍ୟର ୨୫ଟି ପୌର ସଂସ୍ଥାରେ ଶୀଘ୍ର କାର୍ଯ୍ୟକାରୀ ହେବ । ଯାହା ମଧ୍ୟରେ ୫ଟି ମହାନଗର ନିଗମ, ୧୪ଟି ପ୍ରମୁଖ ପୌରପାଳିକା ଓ ୬ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଛି । ଏହାର ସଫଳତା ପାଇଁ ୨୫ଟି ପୌରସଂସ୍ଥାର ମାଷ୍ଟର୍ ଟ୍ରେନରଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ମୁକ୍ତା ସଫ୍ଟ ଓ୍ବାନ ପଏଣ୍ଟ ଜିରୋର ବିଭିନ୍ନ ଦିଗକୁ ପରବର୍ତ୍ତୀ ସ୍ତରରେ ପୌର ସଂସ୍ଥାର କର୍ମଚାରୀଙ୍କୁ ପରିଚିତ କରାଇବାରେ ଏହି ମାଷ୍ଟର୍ ଟ୍ରେନରମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାଥାନନ୍ ମାଷ୍ଟର ଟ୍ରେନରଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ । ମଜୁରୀ ଭିତ୍ତିକ ସହରାଞ୍ଚଳ ଜୀବିକା ସୁରକ୍ଷା କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରିବାରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ରାଜ୍ୟ । ଶ୍ରମିକଙ୍କୁ ତୁରନ୍ତ ପ୍ରାପ୍ୟ ପ୍ରଦାନ ଦିଗରେ ଏହି ଓ୍ବେବ୍ ଆଧାରିତ ଆପ୍ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ । ୯ ତାରିଖରୁ ଆରମ୍ଭ ହୋଇଥିବା ପ୍ରଶିକ୍ଷଣ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ୩୦୦ ବ୍ୟକ୍ତିଙ୍କୁ ୫ଟି ପର୍ଯ୍ୟାୟରେ ପ୍ରଶିକ୍ଷଣ ଦିଆଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ତଥା ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥାର ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି ।