ବାପାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ସୁପ୍ରିମକୋର୍ଟରେ ପହଞ୍ଚିଲେ ମୁଖତାର ଅନସାରୀଙ୍କ ପୁଅ

ନନ୍ଦିଘୋଷ ବ୍ୟୁରୋ: ମୁଖତାର ଅନସାରୀଙ୍କ ମୃତ୍ୟୁ ହୋଇଥିବାବେଳେ ୟୁପିର ବିଭିନ୍ନ ସ୍ଥାନରେ ଲାଗୁ ହୋଇଛି ୧୪୪ । ତେବେ ଶନିବାର ପୈତୃକ ବାସଭବନ ଗାଜିପୁରସ୍ଥିତ ମହମ୍ମଦାବାଦରେ ମୁଖତାରଙ୍କ ଅନ୍ତିମ ସଂସ୍କାର କରାଯିବ । ତେବେ ବାପାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ତାଙ୍କ ପୁଅ ଆବାସ ଅନସାରୀ । ସେ ଏବେ ବିଭିନ୍ନ ମାମଲାରେ ଜେଲରେ ଅଛନ୍ତି । ତେବେ ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି । ମାତ୍ର ଆଜି ଗୁଡ ଫ୍ରାଇଡେ ଥିବାରୁ କୋର୍ଟ ବନ୍ଦ ରହିଛି । ମାତ୍ର ଛୁଟିକାଳିନ ଅଫିସରଙ୍କ ସହ ସମ୍ପର୍କ କରାଯାଇଥିବା କୁହାଯାଇଛି । ତିନୋଟି ମାମଲାରେ ଆବାସଙ୍କ ଜାମିନକୁ ନାମଞ୍ଜୁର କରିଛନ୍ତି କୋର୍ଟ । ଏବେ ସେ ଉତ୍ତରପ୍ରଦେଶର କାସଗଞ୍ଜ ଜେଲରେ ରହିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାଙ୍କ ବିରୋଧରେ ମଧ୍ୟ ବହୁ ମାମଲା ରହିଛି । ସେପଟେ ଜେଲ କର୍ମଚାରୀଙ୍କ ଧମକ ଦେବା ଭଳି ମାମଲା ମଧ୍ୟ ରହିଛି ।

ଗୁରୁବାର ରାତିରେ ମୁଖତାର ଅନସାରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବାରମ୍ବାର ବାନ୍ତି ହେବା କାରଣରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ତାଙ୍କ ମୃତ୍ୟୁ ପରେ ୟୁପିର ବିଭିନ୍ନ ଜିଲ୍ଲାରେ ୧୪୪ ମଧ୍ୟ ଲାଗୁ କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପୋଲିସ କର୍ମଚାରୀଙ୍କ ସହ ସିଆରଏଫ ଯବାନଙ୍କୁ ମୁତୟନ କରାଯାଇଛି ।