ମୁଖତାର ଶବକୁ ଏମିତି କବର ଦିଆ ଯାଇଛି ଯେ, ୨୦ ବର୍ଷ ପରେ ବି ହୋଇ ପାରିବ ଯାଂଚ

ଗାଜିପୁର: ବଡ଼ ବୟାନ ଦେଲେ ମୁଖତାର ଅନସାରୀଙ୍କ ଭାଇ ତଥା ସାଂସଦ ଅଫଜଲ ଅନସାରୀ । ସେ କହିଛନ୍ତି ଯେ, ସରକାର ଭାବୁଛନ୍ତି ମୁଖତାର ଅନସାରୀଙ୍କ କାହାଣୀ ଶେଷ ହୋଇଛି । ସେ ଏହି ଦୁନିଆରେ ନାହାନ୍ତି ସତ ହେଲେ ଜଘନ୍ୟ ଅପରାଧିଙ୍କୁ ରକ୍ଷା କରିବାକୁ ଯାଇ ମୁଖତାରଙ୍କୁ ହତ୍ୟା କରାଯାଇଛି । ଅଫଜଲ କହିଛନ୍ତି ଯେ, ରାଜଧର୍ମର ହତ୍ୟା ହୋଇଛି । ଯଦି କେହି ଏହାକୁ ବାହାଦୁରୀ ବୋଲି ଭାବୁଛନ୍ତି ତାହାଲେ ତାହା ଅଲଗା କଥା ।

ସେ ଆହୁରୀ କହିଛନ୍ତି ଯେ, ଡାକ୍ତର, ଜେଲ୍ ପ୍ରଶାସନ,ଏସଟିଏଫ ମୁଖତାର ଅନସାରୀଙ୍କୁ ହତ୍ୟା କରିଛନ୍ତି । ଯାଞ୍ଚ ପାଇଁ ତାଙ୍କ ଭିସେରାକୁ ପ୍ରିଜର୍ଭ କରାଯାଇଛି । ତାଙ୍କ ଶରୀରକୁ ଏପରି ଭାବେ ପୋତା ଯାଇଛି ଯେ, ତାହା ୨୦ ବର୍ଷ ପରେ ବି ଯାଞ୍ଚ ହୋଇ ପାରିବ । ଏଥିପାଇଁ ଯେଉଁ ଲୋକ ଭାବୁଛନ୍ତି ମୁଖତାର ଅନସାରୀଙ୍କ କାହାଣୀ ସରି ଯାଇଛି ସେମାନେ ଜାଣି ରଖନ୍ତୁ ଯେ, ଏବେ କାହାଣୀ ଆରମ୍ଭ ହୋଇଛି ।

ଭାରତରେ କୌଣସି ଶବଯାତ୍ରାରେ ସରକାର ଲୋକଙ୍କୁ ବାରଣ କରେ ନାହିଁ । ଆମେ ମର୍ମାହତ ଯେ, ମୋ ଭାଇର ଶବ ଉପରେ ମାଟି ପକାଇବାକୁ ବି ଅନୁମତି ନେବାକୁ ପଡ଼ିବ । ଅବ୍ବାସ ଅନସାରୀଙ୍କ ପାରୋଲ ଉପରେ ସେ କହିଛନ୍ତି ଯେ, ଆମେ ଅପେକ୍ଷା କରିବୁ ନାହିଁ ତାଙ୍କୁ ଗୋଟିଏ କିମ୍ବା ଦୁଇ ସପ୍ତାହ ମଧ୍ୟରେ ଜାମିନରେ ବାହାରକୁ ଆଣିବାକୁ ଚେଷ୍ଟା କରିବୁ ।