ଜିଓ ନିର୍ଦ୍ଦେଶକ ପଦରୁ ମୁକେଶ ଅମ୍ବାନୀଙ୍କ ଇସ୍ତଫା
ମୁମ୍ବାଇ: ଏସିଆ ମହାଦେଶ ଓ ଦେଶର ଦ୍ୱିତୀୟ ସବୁଠୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ପାନୀ ଜିଓ କମ୍ପାନୀରେ ବଡଧରଣର ପରିବର୍ତ୍ତନ କରିଛନ୍ତି । ଜିଓ ଟେଲିକମ କମ୍ପାନୀର ନୂଆ ଅଧ୍ୟକ୍ଷ ଭାବେ ଆକାଶ ଅମ୍ବାନୀ ନିଯୁକ୍ତ ହୋଇଛନ୍ତି । ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଜିଓର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେବା ପରେ ତାଙ୍କ ପୁଅକୁ ନିଯୁକ୍ତି ମିଳିଛି । କମ୍ପାନୀର ବୋର୍ଡ ମିଟିଙ୍ଗରେ ଆକାଶଙ୍କ ନିଯୁକ୍ତିକୁ ମଞ୍ଜୁରୀ ମିଳିଛି । ଜିଓ ଦେଶର ଅଗ୍ରଣୀ ୪ଜି ଟେଲିକମ ସେବା ପ୍ରଦାନକାରୀ ସଂସ୍ଥା ଅଟେ । ବଜାର ନିୟନ୍ତ୍ରକ ସଂସ୍ଥା ସେବିକୁ ମଧ୍ୟ କମ୍ପାନୀରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ସୂଚନା ଦିଆଯାଇଛି ।
ଗତ ବର୍ଷ ଡିସେମ୍ବରରେ ମୁକେଶ ନେତୃତ୍ୱରେ ପରିବର୍ତ୍ତନ ହେବ ବୋଲି କହିଥିଲେ । ସେ କହିଥିଲେ, ବଡ ଲକ୍ଷ୍ୟ ହାସଲ କରିବା ପାଇଁ ନୂଆ ନେତୃତ୍ୱକୁ ଆଗକୁ ଆଣିବା ଆବଶ୍ୟକ । ସୂଚନାଯୋଗ୍ୟ ଦୀର୍ଘ ଦିନ ହେବ ଦେଶର ସବୁଠୁ ଧନୀ ବ୍ୟକ୍ତି ଭାବେ ମୁକେଶ ଅମ୍ବାନୀ ଧନୀ ସୂଚୀରେ ଶୀର୍ଷରେ ରହୁଥିଲେ । ହେଲେ କିଛି ଦିନ ହେବ ଧନୀ ତାଲିକାରେ ତଳକୁ ଖସୁଛନ୍ତି । ଶୀର୍ଷରେ ଆଦାନୀ ରହିଛନ୍ତି । ପୁଣିଥରେ ନିଜ ପୂରୁଣା ସ୍ଥିତିକୁ ଫେରିବା ପାଇଁ ନୂଆ ଋଣନୀତି ପ୍ରସ୍ତୁତ କରିଛନ୍ତି ଅମ୍ବାନୀ ।