ପୁଣି ମୁକେଶଙ୍କ ପରିବାରକୁ ଧମକ: ତିନି ଘଣ୍ଟାରେ ମାରିଦେବାକୁ ଧମକ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କୁ ପୁଣି ମିଳା ଧମକ । ପୁରା ପରିବାରକୁ ମାରିଦେବାକୁ ମିଳିଛି ଧମକ । ସୂଚନା ମୁତାବକ, ରିଲାଏନ୍ସ ଫାଣ୍ଡେସନ ହସ୍ପିଟାଲର ଲ୍ୟାଣ୍ଡଲାଇନକୁ ୮ଟି କଲ ଆସିଥିଲା । କଲର ଅମ୍ବାନୀଙ୍କ ସମ୍ପୂର୍ଣ୍ଣ ପରିବାରକୁ ତିନି ଘଣ୍ଟାରେ ହତ୍ୟା  କରିବାର ଧମକ ଦେଇଛି । ଏହାପରେ ହସ୍ପିଟାଲ କର୍ତ୍ତୃପକ୍ଷ ଏନେଇ ଡିବି ମାର୍ଗ ସ୍ଥିତ ପୋଲିସ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଅମ୍ବାନୀଙ୍କ ପରିବାରର ସୁରକ୍ଷା କଡ଼ାକଡ଼ି କରାଯାଇଛି ।

ତେବେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ କଲ୍ ଜଣେ ବ୍ୟକ୍ତି ହିଁ କରିଛି । ଏବଂ ଲଗାତାର ୮ଥର କଲ କରିଛି । ମୁମ୍ବାଇ କମିଶନର ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ପାଇଁ ତିନିଜଣିଆ ପୋଲିସ୍ ଟିମ ଗଠନ କରିଛନ୍ତି । ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ମିଳିବା ନୂଆ କଥା ନୁହେଁ ପୂର୍ବରୁ ମଧ୍ୟ ଅନେକ ଥର ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଆସିସାରିଛି ।

ତେବେ ଏହା ପୂର୍ବରୁ ମୁକେଶ ଅମ୍ବାନୀଙ୍କ ଏଣ୍ଟିଲିଆ ବଙ୍ଗଳା ପାଖରେ ବିସ୍ଫୋରକ ଭରା କାର୍ ଠାବ ହୋଇଥିଲା । ଏହି ମାମଲାର ଯାଞ୍ଚ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ କରୁଛି । ତେବେ ସୂଚନାଥାଉକି, ୨୦୧୩ରେ ହିଜିବୁଲ ମୁଜାହିଦ୍ଦୀନର ଧମକ ପରେ ତତ୍କାଳୀନ ସରକାର ତାଙ୍କୁ ଜେଡ୍ ପ୍ଲସ ସୁରକ୍ଷା ପ୍ରଦାନ କରିଥିଲେ । ସେହିପରି ୨୦୧୬ରେ ମୁକେଶଙ୍କ ପତ୍ନୀ ନୀତାଙ୍କୁ ୱାଇ ପ୍ଲସ ସୁରକ୍ଷା ଦିଆଯାଇଛି ।