ଉତ୍ତରାଧିକାରୀ ବିବାଦ ଏଡାଇବା ପାଇଁ ‘ପରିବାର ପରିଷଦ’ ଗଠନ କରିବେ ମୁକେଶ ଅମ୍ବାନୀ

ମୁମ୍ବାଇ:  ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ପରିବାର ଭାରତର ସବୁଠାରୁ ଧନାଢ୍ୟ ପରିବାର । ଏମିତିରେ ଅଧିକାଂଶଙ୍କ ମନରେ ମୁକେଶଙ୍କ ସମ୍ପତ୍ତିର ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ପ୍ରଶ୍ନ ଆସୁଥିବ । ତେବେ ଏତେ ବଡ଼ ଧନଶାଳୀ ବ୍ୟକ୍ତି ହୋଇଥିବାରୁ ସାଧାରଣ ଲୋକଙ୍କ ମନରେ ଏଭଳି ପ୍ରଶ୍ନ ଆସିବା ସ୍ୱାଭାବିକ କଥା । ଯଦି ଆପଣଙ୍କ ମନରେ ମଧ୍ୟ ଏହାକୁ ନେଇ କେବେ କୌଣସି ପ୍ରଶ୍ନ ଉଙ୍କି ମାରିଛି ତେବେ ଆଜି ଆପଣ ସେହି ପ୍ରଶ୍ନର ଉତ୍ତର ହୁଏତ ପାଇଯିବେ ।

ନିକଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏକ ‘ଫ୍ୟାମିଲି କାଉନସିଲ’ ବା ପାରିବାରିକ ପରିଷଦ ଗଠନ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି । ଏହାଦ୍ୱାରା ତାଙ୍କର ଆଗାମୀ ପିଢୀ ଯେପରି ଭାବରେ ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିର ମାଲିକାନା ହାସଲ କରିପାରିବେ, ତାହାକୁ ନେଇ ଆଲୋଚନା କରାଯିବ । ଏକ ବିଜନେସ ଓ୍ୱେବସାଇଟର ରିପୋର୍ଟ ଅନୁସାରେ ଏହି ଫ୍ୟାମିଲି କାଉନସିଲରେ ଅମ୍ବାନୀଙ୍କ ତିନି ସନ୍ତାନ ଆକାଶ,ଈଶା ଏବଂ ଅନନ୍ତଙ୍କ ସହିତ ପରିବାରର ଜଣେ ବୟସ୍କ ସଦସ୍ୟ ଅନ୍ତର୍ଭୁକ୍ତ ରହିବେ । ଅବଶ୍ୟ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ତରଫରୁ ଏ ବାବଦରେ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ ।

ସୂଚନା ମୁତାବକ ତିନି ପିଲାଙ୍କ ସହିତ ଘରର ଜଣେ ବୟସ୍କ ସଦସ୍ୟ ଅନ୍ତର୍ଭୁକ୍ତ ହେବେ ଏବଂ ବାହାରର ଜଣେ ବୟସ୍କ ସଦସ୍ୟ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରନ୍ତି । ପରିବାର ବାହାରର ଏହି ସଦସ୍ୟ ମେଣ୍ଟର ବା ପରାମର୍ଶଦାତା ଭାବରେ କାମ କରିବେ । ଖବର ଅନୁସାରେ ମୁକେଶ ଅମ୍ବାନୀ ଏବଂ ତାଙ୍କ ଭାଇ ଅନିଲ ଅମ୍ବାନୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ରିଲାଏନ୍ସର ସମ୍ପତ୍ତିକୁ ନେଇ ବିବାଦ ଲାଗି ରହିଥିଲା । ହୁଏତ ଏହାକୁ ନଜରରେ ରଖି ମୁକେଶ ଅମ୍ବାନୀ ଏଭଳି ନିଷ୍ପତ୍ତି ନେଇଥାଇ ପାରନ୍ତି । କହିରଖୁଛୁ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ପ୍ରାୟ ୮୦ ବିଲିୟନ୍ ଡଲାର ପାଖାପାଖି ରହିଛି ।

Leave a Reply