କଲିକତା ଉଠିଗଲା ଆଞ୍ଚଳିକ ଲାଇସେସିଂ କାର୍ଯ୍ୟାଳୟ, ସମସ୍ୟା ନେଇ କେନ୍ଦ୍ରକୁ ଜଣାଇଲେ MSME ସଚିବ

MSME Secretary Inform Centre About Export Problem

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବିଦେଶ ବାଣିଜ୍ୟ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ଆଞ୍ଚଳିକ ଲାଇସେସିଂ କାର୍ଯ୍ୟାଳୟ କଟକରୁ କଲିକତାକୁ ସ୍ଥାନାନ୍ତରିତ ହୋଇଛି । ଫଳରେ ରାଜ୍ୟରେ ସାମୁଦ୍ରିକ ମତ୍ସ୍ୟ, କୃଷି ଉତ୍ପାଦ ପରି ନଷ୍ଟ ଯୋଗ୍ୟ ଦ୍ରବ୍ୟର ରପ୍ତାନୀ କ୍ଷେତ୍ରରେ ବିଶେଷ ସମସ୍ୟା ଦେଖା ଦେଉଛି । ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଆଜି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କେନ୍ଦ୍ର ବିଦେଶ ବାଣିଜ୍ୟ କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟରେ ଖଣିଜ, ଧାତୁ ଉତ୍ପାଦ, କୃଷି ଉତ୍ପାଦ, ସାମୁଦ୍ରିକ ଉତ୍ପାଦ (ମତ୍ସ୍ୟ), ହସ୍ତତନ୍ତ, ହସ୍ତଶିଳ୍ପ, କାଜୁ ଏବଂ ମସଲାଜାତୀୟ ଦ୍ରବ୍ୟ ରପ୍ତାନୀର ଅପାର ସମ୍ଭାବନା ରହିଛି । ରାଜ୍ୟରେ ରପ୍ତାନୀ ପ୍ରୋତ୍ସାହନ ପରିଷଦ ନଥିବାରୁ ରପ୍ତାନୀ କ୍ଷେତ୍ରରେ ଅନେକ ସମସ୍ୟା ଦେଖା ଦେଉଛି ।

ସେଥିପାଇଁ ତୁରନ୍ତ ରପ୍ତାନୀ ପ୍ରୋତ୍ସାହନ ପରିଷଦ ଖୋଲିବାକୁ ଦାବି କରିଛନ୍ତି ଏମ୍ଏସ୍ଏମ୍ଇ ସଚିବ । ରାଜ୍ୟରେ ପାରାଦୀପ, ଧାମରା ଓ ଗୋପାଳପୁର ପରି ତିନୋଟି ସକ୍ରିୟ ବନ୍ଦର ଅନ୍ୟାନ୍ୟ ପଣ୍ୟ ରପ୍ତାନୀ ଓ ଆମଦାନୀ କରୁଛନ୍ତି । କିନ୍ତୁ ସିପିଂ ଲାଇନର ଏବଂ ରିଫରି କଣ୍ଟେନର ନଥିବା ହେତୁ ସାମୁଦ୍ରିକ ଉତ୍ପାଦ ରପ୍ତାନୀ ସକାଶେ ପଡ଼ୋଶୀ ବିଶାଖପାଟଣା ଓ କଲିକତା ବନ୍ଦର ଉପରେ ନିର୍ଭର କରିବାକୁ ପଡ଼ୁଛି । ଅନ୍ୟପଟେ ଭୁବନେଶ୍ୱର ବିମାନବନ୍ଦରରେ ଏକ କାର୍ଗୋ କମ୍ପ୍ଲେକ୍ସ ଥିବା ସତ୍ତ୍ୱେ ନଷ୍ଟଯୋଗ୍ୟ ଦ୍ରବ୍ୟଗୁଡ଼ିକର ରପ୍ତାନୀ ସୁବିଧା ନାହିଁ ।

ତେଣୁ ରାଜ୍ୟର ଉକ୍ତ ତିନୋଟି ବନ୍ଦରରେ ଆନୁସଙ୍ଗିକ ବ୍ୟବସ୍ଥା ଉପଲବ୍ଧ କରାଇଲେ କୃଷିଜାତ ଦ୍ରବ୍ୟ ଓ ସାମୁଦ୍ରିକ ଉତ୍ପାଦ ପରି ଶୀଘ୍ର ନଷ୍ଟ ହୋଇ ଯାଉଥିବା ଦ୍ରବ୍ୟକୁ ସହଜରେ ରପ୍ତାନୀ କରାଯାଇ ପାରନ୍ତା । ରାଜ୍ୟରେ ରପ୍ତାନୀ ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟକୁ ରପ୍ତାନୀ କାରବାର ତଦାରଖ ନିମନ୍ତେ ନୋଡାଲ ସଂସ୍ଥା ଘୋଷଣା କରାଯାଇଛି । ରପ୍ତାନୀଜନିତ ସମସ୍ୟାର ସମାଧାନ ପାଇଁ ବୃତ୍ତିଗତ କର୍ମଚାରୀଙ୍କ ଅଭାବ ରହିଛି । ତେଣୁ ତୁରନ୍ତ ଜଣେ ଦକ୍ଷ ବୃତ୍ତିଗତ ଅଧିକାରୀଙ୍କୁ ଓଡ଼ିଶାରେ ନିୟୋଜନ କରିବା ପାଇଁ ଏମ୍ଏସ୍ଏମ୍ଇ ସଚିବ ପ୍ରସ୍ତାବ ଦେଇଛନ୍ତି ।

Leave a Reply