ଦେଶର ଅଭିବୃଦ୍ଧିରେ କମୁଛି ଏମ୍ଏସ୍ଏମ୍ଇ ଶିଳ୍ପଙ୍କ ଯୋଗଦାନ!

ଭୁବନେଶ୍ବର : ବିପଦରେ ଏମ୍ଏସ୍ଏମ୍ଇ ଶିଳ୍ପ ! ବଢୁଛି ଚୀନ ଉପରେ ନିର୍ଭରଶୀଳତା । ଛତା, ଜୋତା, ବୈଦ୍ଯୁତିକ ସାମଗ୍ରୀ, ଘରକରଣା, ମୂର୍ତ୍ତି ଓ ଶିଳ୍ପ ଉପକରଣ ସବୁ କିଛି ଚୀନରୁ ଆମଦାନୀ କରିବାକୁ ପଡ଼ୁଛି । ଫଳରେ ଦେଶ ଭିତରେ ଥିବା ଏମ୍ଏସ୍ଏମ୍ଇ ଉଦ୍ୟୋଗୀ ହାତ ବାନ୍ଧି ବସିଲେଣି । ସ୍ଥିତି ଏମିତି ହେଲାଣି ଗୋଟିଏ ସମୟରେ ଦେଶର ଅଭିବୃଦ୍ଧିରେ ଏହି ଶିଳ୍ପ ୩୦ ପ୍ରତିଶତ ଯୋଗଦାନ କରୁଥିଲା ଏବେ ତାହା ଧୀରେ ଧୀରେ କମିବାରେ ଲାଗିଛି । ସବୁଠୁ ଅଧିକ ରୋଜଗାର ସୃଷ୍ଟି କରୁଥିବା ଏହି ଶିଳ୍ପ ଏବେ ବିପଦରେ ବୋଲି ଶିଳ୍ପ ସଂଘ ଆଶଙ୍କା ବ୍ୟକ୍ତ କରିଛି । ଅଭିଯୋଗ ହୋଇଛି ଏବେ ଦେଶର କେତେକ ବଡ଼ ବଡ଼ ଶିଳ୍ପ ଏମ୍ଏସ୍ଏମ୍ଇ ଉତ୍ପାଦ ଆରମ୍ଭ କରିବାକୁ ବସିଲେଣି । ଇଟା ଉତ୍ପାଦନ କରିବାକୁ ଯାଉଛନ୍ତି ବଡ଼ ବଡ଼ ଶିଳ୍ପ । ଏମ୍ଏସ୍ଏମ୍ଇ ଶିଳ୍ପ ଋଗୁଣ ହେଉଥିବାବେଳେ ବଡ଼ ଶିଳ୍ପକୁ ସୁହାଇଲାଭଳି ସବୁ ନୀତି କରୁଛନ୍ତି ଭାରତ ସରକାର । ଯଦି ଏପରି ବହୁରାଷ୍ଟ୍ରୀୟ କମ୍ପାନୀ ଏମ୍ଏସ୍ଏମ୍ଇ ଉତ୍ପାଦ ଆରମ୍ଭ କରିବେ ତା ହେଲେ ଦେଶ ଓ ରାଜ୍ୟରେ ଥିବା ଏମ୍ଏସ୍ଏମ୍ଇ ଉଦ୍ୟୋଗୀ ହାତ ବାନ୍ଧି ବସିବା ଛଡ଼ା ଉପାୟ ନାହିଁ ବୋଲି ଶିଳ୍ପପତି କ୍ଷୋଭ ପ୍ରକାଶ କରିଛନ୍ତି ।…

ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ୭.୨ ପ୍ରତିଶତ ରହିବ । ଏ ନେଇ ଆକଳନ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । କିନ୍ତୁ ଗତ ସପ୍ତାହରେ ଏନ୍ଏସ୍ଓ ରିପୋର୍ଟ ଦେଲେ ଏବର୍ଷ ପ୍ରଥମ କ୍ବାର୍ଟରରେ ଅଭିବୃଦ୍ଧି ହାର ୬.୭ ପ୍ରତିଶତ ରହିଲା । ଖୋଦ ରିଜର୍ଭ୍ ବ୍ୟାଙ୍କ ଗଭର୍ଣ୍ଣର ମଧ୍ୟ ଏମ୍ଏସ୍ଏମ୍ଇ ଶିଳ୍ପ ଅଭିବୃଦ୍ଧି ଉପରେ ଜୋର ଦେଇଛନ୍ତି । ବିକଶିତ ରାଷ୍ଟ୍ରରେ ଏମ୍ଏସ୍ଏମ୍ଇ ଶିଳ୍ପ ପର୍ଯ୍ୟାପ୍ତ ଥିବାରୁ ସେଠାକାର ଅର୍ଥନୀତିରେ ଉନ୍ନତି ହେଉଛି ବୋଲି ବିଶେଷଜ୍ଞଙ୍କ ମତ । ଛୋଟଠୁ ବଡ଼ ଉତ୍ପାଦ ପାଇଁ ଚୀନ ଉପରେ ନିର୍ଭର କରିବାକୁ ପଡୁଥିବାରୁ ବୈଦେଶିକ ପୁଞ୍ଜି ମଧ୍ୟ ବିନିଯୋଗ ହୋଇଚାଲିଛି । ଏହା ଦେଶର ଆର୍ଥିକ ବିକାଶ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ବିଶେଷଜ୍ଞ କହିଛନ୍ତି ।…

ଦେଶର ଆର୍ଥିକ ପ୍ରଗତିରେ ଏମ୍ଏସ୍ଏମ୍ଇ ଶିଳ୍ପର ବଡ଼ ଯୋଗଦାନ ରହିଛି । ଏକଥାକୁ କେନ୍ଦ୍ର ଓ ରାଜ୍ୟ ସରକାର ଅନୁଭବ କରୁଛନ୍ତି । ଖାଲି ନୀତି କରିଦେଲେ ହେବନି  । ନୀତି କିପରି ସବୁ ରାଜ୍ୟର ଏମ୍ଏସ୍ଏମ୍ଇ ଶିଳ୍ପ ଅଭିବୃଦ୍ଧିରେ ରୂପାୟନ ହେବ ସେ ନେଇ ସରକାର ଦୃଷ୍ଟି ଦେବା ଦରକାର ।