କଡକନାଥ ଚାଷରୁ ଚେରମୂଳି ଚିକିତ୍ସା କରି ଚର୍ଚ୍ଚାରେ ମାହି

ରାଞ୍ଚି: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମଏସ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ବହୁ ସମୟରୁ ଅବସର ନେଇ ସାରିଲେଣି । କିନ୍ତୁ ଧୋନିଙ୍କ ଲୋକପ୍ରିୟତା ଏବେ ବି ପୂର୍ବଭଳି ରହିଛି ।  ନିଜ ଦେଶୀ ଷ୍ଟାଇଲ ଲାଇଫ ଷ୍ଚାଇଲ ପାଇଁ ଏବେ ଚର୍ଚ୍ଚାରେ ଧୋନୀ ।

୪୦ ବର୍ଷୀୟ ଧୋନି ଆଣ୍ଠୁ ଯନ୍ତ୍ରଣାରୁ ମୁକ୍ତି ପାଇଁ ଦେଶୀ ଉପାୟରେ ଚିକିତ୍ସା କରୁଛନ୍ତି  । ରାଞ୍ଚି ଠୁ ପାଖାପାଖି ୮୦କିଲୋମିଟର ଦୂର ଲାପୁଙ୍ଗର ଗଲଗଲି ଧାମରେ ଥିବା ଜଣେ ବୈଦ୍ୟଙ୍କ ପରାମର୍ଶରେ ଚିକିତ୍ସା କରୁଛନ୍ତି ଧୋନି  । ଜଙ୍ଗଲୀ ଜଡିବୁଟି ସାହାଯ୍ୟରେ ପାରମ୍ପାରିକ ଉପାୟରେ ଧୋନିଙ୍କ ଚାଲିଛି ଉପଚାର । ଖାସ କଥା ହେଉଛି ଏଠାରେ ବୈଦ୍ୟ ଚିକିତ୍ସା ପାଇଁ ମାତ୍ର ୪୦ଟଙ୍କା ନେଇଥାନ୍ତି  । କେବଳ ଧୋନି ନୁହେଁ ତାଙ୍କ ବାପା ମା ବି ଏହି ବୈଦ୍ୟଙ୍କ ପରାମର୍ଶରେ ଚିକିତ୍ସା କରିଥାନ୍ତି ।

କେବଳ ଚିକିତ୍ସା ନୁହେଁ ଅର୍ଗାନିକ ଚାଷ କରି ସେ ଚର୍ଚ୍ଚାରେ  । କଡକନାଥ କୁକୁଡା ପାଳୁଛନ୍ତି ଧୋନି  । ଏହି ଫାର୍ମରୁ ଧୋନି ଲକ୍ଷଲକ୍ଷ ଟଙ୍କା ରୋଜଗାର କରିଥାନ୍ତି । ଗୋଟିଏ କୁକୁଡାର ଦାମ ୨୦୦ ରୁ ୩୦୦ ଟଙ୍କା ଥିବାବେଳେ ଏଥିରେ କୋଲେଷ୍ଟ୍ରଲର ମାତ୍ରା କମ ରହିଛି  । ଯେଉଁଥିପାଇଁ ଗ୍ରାହକ କଡକନାଥ କିଣିବାକୁ ବେଶ ପସନ୍ଦ କରୁଛନ୍ତି ।

ଧୋନିଙ୍କ ନେତୃତ୍ବରେ ୪ ଥର ଆଇପିଏଲ ଟ୍ରଫି ହାତେଇଛି ଚେନ୍ନାଇ ସୁପର କିଙ୍ଗସ । ଏଥିପାଇଁ ଅବସର ପରେ ବି ଆଇପିଏଲରେ ଖେଳିବା ଜାରି ରଖିଛନ୍ତି ଧୋନି  । ୧୫ ଅଗଷ୍ଟ ୨୦୨୦ ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଗ୍ରହଣ କରିଥିଲେ ମହେନ୍ଦ୍ର ସିଂ ଧୋନି ।