୪୧ ବର୍ଷରେ ପାଦ ଦେଲେ ମହେନ୍ଦ୍ର ସିଂ ଧୋନୀ

1 min read

ଲଣ୍ଡନ: ୪୧ ବର୍ଷରେ ପାଦ ଥାପିଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ଧୋନୀଙ୍କୁ ଚାରିଆଡୁ ଛୁଟିଛି ଜନ୍ମଦିନର ଶୁଭେଚ୍ଛାର ସୁଅ । ତେବେ ଚଳିତ ବର୍ଷ ଇଂଲଣ୍ଡରେ ଜନ୍ମଦିନ ମନାଇଛନ୍ତି ଧୋନୀ । ପତ୍ନୀ ସାକ୍ଷୀ ଧୋନୀଙ୍କ ସହ ଟିମ୍ ଇଣ୍ଡିଆର ଷ୍ଟାର ଓ୍ୱିକେଟ କିପର ଋଷଭ ପନ୍ତ ଓ ଅନ୍ୟ ବନ୍ଧୁଗଣଙ୍କ ଉପସ୍ଥିତିରେ ମାହି କେକ୍ କାଟିଥିଲେ । ବର୍ଥଡେ ସେଲିବ୍ରେସନ ବେଳର ଭିଡିଓ ସାକ୍ଷୀ ଧୋନୀ ନିଜ ଇନଷ୍ଟା ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଭାରତୀୟ କ୍ରିକେଟ ଟିମର ଜଣେ ସଫଳ ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ । ଧୋନୀଙ୍କ ନେତୃତ୍ୱରେ ଟିମ୍ ୨୦୦୭ରେ ଟି-୨୦ ବିଶ୍ୱକପ୍, ୨୦୧୧ରେ ଦିନିକିଆ ବିଶ୍ୱକପ୍ ଓ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା ଟିମ୍ ଇଣ୍ଡିଆ ।

ଧୋନୀ ୩୫୦ଟି ଅନ୍ତରାଷ୍ଟ୍ରୀୟ ଦିନିକିଆରେ ୫୦.୫୭ ଆଭରେଜରେ ୧୦ ହଜାର ୭୭୩ ରନ୍ କରିଥିଲେ । ଏଥିରେ ୧୦ଟି ଶତକ ଓ ୭୩ଟି ଅର୍ଦ୍ଧଶତକ ରହିଛି । ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୮୩ । ସେ ଓ୍ୱିକେଟ କିପର୍ ଭାବେ ୪୪୪ ଜଣଙ୍କୁ ଆଉଟ୍ କରିଛନ୍ତି । ତାଙ୍କସହ ସେ ୯୦ଟି ଟେଷ୍ଟରେ ୪ ହଜାର ୮୭୬ ରନ୍ କରିଥିବା ବେଳେ ୯୮ଟି ଟି୨୦ରେ ୧୬୧୭ ରନ୍ କରିଛନ୍ତି ।