ଧୋନି ଯୁଗର ଅବସାନ, ଆନ୍ତର୍ଜାତିକ କ୍ରୀଡ଼ାରୁ ବିଦାୟ ନେଲେ କ୍ୟାପଟେନ୍ କୁଲ୍

1 min read

ଭୁବନେଶ୍ୱର : ଧୋନି ଯୁଗର ଅବସାନ ହେଲା । ଶେଷରେ ଆନ୍ତର୍ଜାତିକ କ୍ରିକେଟ୍ ଜଗତରୁ ବିଦାୟ ନେଇଛନ୍ତି ବର୍ଷୀୟାନ୍ କ୍ରୀଡାବିତ୍ ମହେନ୍ଦ୍ର ସିଂ ଧୋନୀ । ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ଉନ୍ମାଦନାର ପ୍ରତୀକ ହୋଇ ଢେର ଦିନ ରହିଥିଲେ ଓ  ଆଗକୁ ରହିବେ ମଧ୍ୟ । ଧୋନି ଯେମିତି ଅଧ୍ୟାୟ ହୋଇ ପ୍ରବାହିତ ହେଲେ ଆଉ ଦୁର୍ଦଷ ହୋଇ ବର୍ଷିଲେ, ତାହା ଭାରତୀୟ କ୍ରିକେଟକୁ ଗର୍ବାନ୍ୱିତ କରିଛି, ନିଶ୍ଚୟ । ୨୦୦୭ର  ଟି-୨୦ ବିଶ୍ୱକପ, ୨୦୧୧ର ବିଶ୍ୱକପ ପୁଣି ୨୦୧୩ର ଚ୍ୟାମ୍ପିୟନ୍ସ ଟ୍ରଫି ଧୋନୀଙ୍କ ଅଧିନାୟକତ୍ୱ ବଳରେ ହିଁ ମିଳିଛି । ଏକମାତ୍ର ଭାରତୀୟ ଅଧିନାୟକ ଭାବେ ଏକାଧିକ ବିଶ୍ୱକପ ହାତେଇବା ଗୌରବ ତାଙ୍କୁ ଭାରତୀୟ କ୍ରିକେଟରେ ସ୍ୱତନ୍ତ୍ର କରି ଠିଆ କରିଛି ।

କିଏ କୁହେ ବେଷ୍ଟ ଫିନିସର ତ ପୁଣି କାହା ପାଇଁ କ୍ୟାପେଟନ୍ କୁଲ୍ । ପରିସ୍ଥିତିକୁ କାବୁ କରି ସଞ୍ଜମତାକୁ ଅସ୍ତ୍ର କରି କିଭଳି ଭାବେ ବିଜୟ ପ୍ରାପ୍ତ ହୁଏ  , ତାହା ଧୋନୀଙ୍କଠାରୁ ହିଁ ଜାଣିବାକୁ ମିଳେ । କ୍ରିକେଟ୍ ଫିଲ୍ଡରେ ଯିଏ ତାଙ୍କ ଉପସ୍ଥିତ ବୁଦ୍ଧି ଓ ବିଚକ୍ଷଣ ଅଧିନାୟକତ୍ୱ ଦେଖିଛି ସେ ବୁଝିଛି ଧୋନୀଙ୍କ ଉପସ୍ଥିତର ମହତ୍ୱକୁ ।

ନିଜ କ୍ରିକେଟିଂ କ୍ୟାରିୟରେ ୩୫୦ ଏକଦିବସୀୟ ମ୍ୟାଚ ଖେଳି ସେ ସଂଗ୍ରହ କରିଥିଲେ ୧୦ ହଜାର ୭୭୩ ରନ୍ । ସେହିଭଳି ୯୦ଟି ଟେଷ୍ଟ ମ୍ୟାଚରେ  ୪ହଜାର ୮୭୬ ଓ ୯୮ଟି ଟି-୨୦ରେ ୧୬୧୭ ରନ୍ କରିଛନ୍ତି ଧୋନୀ ।  କ୍ୟାରିୟରରେ ରହିଛି ୧୦ଟି ଏକଦିବସୀୟ ଶତକ ଓ ୬ଟି ଟେଷ୍ଟ ଶତକ । ଏହାବ୍ୟତୀତ ସବୁ ଫର୍ମାଟ ମିଶି  ୧୧୦ଟି ଅର୍ଦ୍ଧଶତକ ତାଙ୍କ ନାମରେ ରହିଛି । ୩୯ ବର୍ଷୀୟ ଏହି କ୍ରୀଡ଼ାବିତ ୨୦୦୪ ଡିସେମ୍ୱରରେ ବାଙ୍ଗଲାଦେଶ ବିରୋଧରେ ନିଜ ପ୍ରଥମ ଆନ୍ତର୍ଜାତିକ ମ୍ୟାଚ ଖେଳିଥିଲେ । ୧୬ବର୍ଷର କ୍ରିକେଟ୍ ଜୀବନରେ  କ୍ରିକେଟ୍ ଧର୍ମୀ ଭାରତୀୟଙ୍କ ମନୋରଞ୍ଜନ କରିବାର କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି ସେ । ଦେଇଛନ୍ତି ବିଶ୍ୱକପର ଅଭୁଲା ସ୍ମୃତି, ଅତୁଳନୀୟ ମନୋରଞ୍ଜନ ପୁଣି ଦେଢ ଦଶନ୍ଧୀର ଗର୍ବିତ ଅଧ୍ୟାୟ ।

Leave a Reply