ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ସିରିଜ୍ ମିଜାଇଲ୍ ଟେଷ୍ଟ, ୭୦ କିଲୋମିଟର ପର୍ଯ୍ୟନ୍ତ କରିପାରିବ ଟାର୍ଗେଟ

1 min read

ବାଲେଶ୍ୱର: ବାଲେଶ୍ୱର ନିକଟ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ପରୀକ୍ଷା ହେଲା ସ୍ଥଳଭାଗରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର MRSAM । ଆଜି ସକାଳ ୧୦ଟା ୧୪ ମିନିଟରେ ୩ନଂ ଲଞ୍ଚପ୍ୟାଡରୁ ଏହି କ୍ଷେପଣାସ୍ତ୍ରର ଉତକ୍ଷେପଣ କରାଯାଇଛି । ୧୦ଟା ୧୪ ମିନିଟରେ ପ୍ରଥମ ଉତକ୍ଷେପଣ ପରେ ୧୧ଟା ୦୩ ମିନିଟରେ ଆଉ ଏକ MRSAM କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଛି । ଆଜି ଗୋଟିଏ ଦିନରେ ଦୁଇ ରାଉଣ୍ଡ ପରୀକ୍ଷଣ ହୋଇଛି ।  ଉତକ୍ଷେପଣ ସମୟରେ ସ୍ଥିରିକୃତ କରାଯାଇଥିବା ସମସ୍ତ ଦିଗ, ଗତି ଓ ଟାର୍ଗେଟକୁ ସଠିକ ଭାବେ ଏହି ମିସାଇଲ ଛୁଇଁଥିବା କୁହାଯାଇଛି ।

ଡିଫେନ୍ସ ରିସର୍ଚ୍ଚ ଏଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ୍‌ ଓ ଇସ୍ରାଇଲର ମିଳିତ ଉଦ୍ୟମରେ ନିର୍ମାଣ କରାଯାଇଥିବା MRSAM କ୍ଷେପଣାସ୍ତ୍ର ୭୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ । ଏହା ବାୟୁମଣ୍ଡଳର ୧୬ କିଲୋମିଟର ଉପରେ ଶବ୍ଦର ଗତି ଠାରୁ ୨ ଗୁଣ ଅଧିକ ବେଗରେ ଗତି କରିପାରିବ । ଏଥିରେ ୬୦ କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ ।

MRSAMର ଓଜନ ୨୭୫ କିଲୋଗ୍ରାମ, ଲମ୍ବ ୪.୫ ମିଟର ଓ ମୋଟେଇ ୦.୨୨୫ ମିଟର । ଏଥିରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସଲିଡ ପ୍ରପୋଲାଣ୍ଟ ରକେଟ୍‌ ଇଞ୍ଜିନ୍‌ ବ୍ୟବହାର କରାଯାଇଛି । ଏହି କ୍ଷେପଣାସ୍ତ୍ରର ପରୀକ୍ଷା ପାଇଁ ସ୍ଥାନୀୟ ଖଡ଼ୁପାହି, କୁସୁମୁଳିପାହି, ଭୀମପୁରପାହି, ତୁଣ୍ଡୁରାପାହି, ଜୟଦେବକସବାପାହି ଓ ସାହାଜାନଗରପାହିର ମୋଟ ୭ ହଜାର ଲୋକଙ୍କୁ ଖଡ଼ୁପାହି ସ୍କୁଲ, ତୁଣ୍ଡୁରା ଓ ଜୟଦେବକସବାପାହି ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଗତ ୨୭ ତାରିଖରେ MRSAMର ଏକ କ୍ଷେପଣାସ୍ତ୍ରକୁ ସଫଳତାର ସହିତ ପରୀକ୍ଷଣ କରାଯାଇଥିଲା ।