ରାଜନୀତି ନୁହେଁ ରାଜ୍ୟନୀତି କରନ୍ତି ନବୀନ, ଟ୍ବିଟ କରି କୃତଜ୍ଞତା ଜଣାଇଲେ ସାଂସଦ

ଭୁବନେଶ୍ବର: ଅପରାଜେୟ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ କେବଳ ମୁଖ୍ୟମନ୍ତ୍ରୀ ପଦରୁ ଅବ୍ୟାହତି ପାଇଛନ୍ତି ହେଲେ ବାସ୍ତବରେ ତାଙ୍କ ନିର୍ମଳ ଭାବମୂର୍ତ୍ତି ପାଇଁ ସେ ଆଜି ବି ଅପରାଜେୟ । ଓଡ଼ିଶାବାସୀଙ୍କ ହୃଦୟରେ ଅଛନ୍ତି ଓ ସବୁବେଳେ ରହିଥିବେ । ସୋସିଆଲ ମିଡିଆ ଏକ୍ସରେ ବିଜେଡି ସାଂସଦ ମାନସ ମଙ୍ଗରାଜ କହିଛନ୍ତି, ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ପରିବାର ଭାବି ନିଜ ଜୀବନର ୨୪ ବର୍ଷ ସମଗ୍ର ରାଜ୍ୟ ପାଇଁ ଉତ୍ସର୍ଗ କରିଦେଇଛନ୍ତି ନବୀନ ।

ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ କରିଛନ୍ତି। ଏପରିକି ଓଡ଼ିଆ ଭାଷାକୁ ଉଜ୍ଜୀବିତ କରି ରଖିବା ପାଇଁ ସେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିଥିଲେ। ତାଙ୍କ ପାଇଁ ହିଁ ଓଡ଼ିଆ ଭାଷାକୁ ମିଳିଛି ଶାସ୍ତ୍ରୀୟ ମାନ୍ୟତା । ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ପାଇଁ ମନ୍ଦିର ପୁନଃନରୁଦ୍ଧାର କରିଛନ୍ତି । ତାଙ୍କ ପ୍ରଚେଷ୍ଟାରେ ଆଜି ବିଶ୍ବ ଦେଖିଲା ବିଶ୍ବନିୟନ୍ତାଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ।

ତାରାତାରିଣୀ, ସମଲେଶ୍ବରୀ ଓ ଅନେକ ମନ୍ଦିରକୁ ମିଳିଛି ଭବ୍ୟ ରୂପ। ସର୍ବୋପରି ଜନସେବା ହିଁ ତାଙ୍କ ଜୀବନର ଲକ୍ଷ୍ୟ । ସେ ଚାଷୀଙ୍କ ମୁହଁରେ ହସ ଫୁଟାଇବାଠୁ ନେଇ ଜନଜାତିଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛନ୍ତି । ବିଶ୍ଵର ସବୁଠୁ ଭଲ ସ୍ବାସ୍ଥ୍ୟ କଲ୍ୟାଣ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ରେ ଅନେକ ଲୋକ ଉପକୃତ ହୋଇଛନ୍ତି । ଲକ୍ଷ ଲକ୍ଷ ମହିଳାଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିଛନ୍ତି । ତାଙ୍କ ପାଇଁ ଆଜି ନାରୀଶକ୍ତି ସାରା ଦେଶରେ ଉଦାହରଣ ସାଜିଛି ।

ସେ ରାଜନୀତି ନୁହେଁ ରାଜ୍ୟନୀତି କରନ୍ତି । ନବୀନ ବାବୁଙ୍କ ସ୍ବଚ୍ଛ ଶାସନ ଓ ଦକ୍ଷ ନେତୃତ୍ୱ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଉତ୍ତମ ବିପର୍ଯ୍ୟୟ ପରିଚାଳନା ପାଇଁ ସେ ସାରା ବିଶ୍ୱରେ ପ୍ରଶଂସିତ ହୋଇଛନ୍ତି । ଜନମାନସରେ ପରିଚିତ ଜନନାୟକଙ୍କ ଅନୁପସ୍ଥିତିକୁ ସହଜେ ଗ୍ରହଣ କରିପାରୁନାହାନ୍ତି ଓଡ଼ିଶାବାସୀ । ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ହେଲେ ତାଙ୍କର ସେବା ମନୋଭାବ ଏବଂ ଓଡ଼ିଶାର ଉନ୍ନତି ପାଇଁ ଅନବରତ କାମ କରି ସେ ଇତିହାସ ସୃଷ୍ଟି କରିଛନ୍ତି । ଓଡ଼ିଶା ଏବଂ ଓଡ଼ିଆଙ୍କ ପାଇଁ ତାଙ୍କର କର୍ତ୍ତବ୍ୟକୁ ଲୋକେ ଚିରଦିନ ପାଇଁ ମନେ ରଖିବେ ବୋଲି ମାନସ ମଙ୍ଗରାଜ କହିଛନ୍ତି ।