ବିଜେଡି ପ୍ରତିଷ୍ଠା ଦିବସ ଉତ୍ସବ: ପ୍ରସ୍ତୁତି ସମୀକ୍ଷା କଲେ ସାଂସଦ ମାନସ ମଙ୍ଗରାଜ

ପୁରୀ: ଆସନ୍ତା କାଲି ଶ୍ରୀକ୍ଷେତ୍ର ପୁରୀରେ ବିଜେଡି ପାଳନ କରିବ ୨୫ ବର୍ଷ ପୂର୍ତ୍ତି ଉତ୍ସବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ ନିର୍ବାଚିତ ପ୍ରତିନିଧି, ନେତା ଓ କର୍ମୀଙ୍କୁ ଉଦବୋଧନ ଦେବା ସହ ଗୁରୁମନ୍ତ୍ର ପ୍ରଦାନ କରିବେ  । ଏନେଇ ପୁରୀ ତାଳବଣିଆଠାରେ ସ୍ବତନ୍ତ୍ର ଉତ୍ସବ ପାଇଁ ସଭା ସ୍ଥଳ ପ୍ରସ୍ତୁତ କରାଯାଇଛି  । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ସଭା ସ୍ଥଳ ବୁଲି ଦେଖିବା ସହ ଚୂଡାନ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।

ଉତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର କର୍ମୀଙ୍କ ଯୋଗ ଦେବାକୁ ଥିବାରୁ ବିଜେଡି ପକ୍ଷରୁ କରାଯାଇଥିବା ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ ସାଂସଦ । ଏହାସହ ଆସନ୍ତା କାଲିର କାର୍ଯ୍ୟକ୍ରମ ସଫଳ କରିବା ନେଇ ସମସ୍ତଙ୍କ ସହ ଆଲୋଚନା କରିଥିଲେ  । ସାଂସଦଙ୍କ ସହ ବିଧାୟକ ସୁଶାନ୍ତ ରାଉତ ଓ ଉଠା ଜଳ ସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରି ଉପସ୍ଥିତ ଥିଲେ ।