ଜାନକୀଙ୍କ ସ୍ମୃତିସଭାରେ ଭାବବିହ୍ବଳ ହୋଇଗଲେ ସାଂସଦ ମାନସ

ଖୋର୍ଦ୍ଧା: ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକୀ । ୮ ବର୍ଷ ତଳେ ତିରୁପତି ଧାମରେ ଏପ୍ରିଲ ୨୧ ତାରିଖରେ ଜାନକୀ ବଲ୍ଲଭ ପଟ୍ଟନାୟକ ଇହଲୀଳା ସମ୍ବରଣ କରିଥିଲେ । ଜନ୍ମମାଟି ଖୋର୍ଦ୍ଧାରେ ତାଙ୍କର ଅଷ୍ଟମ ଶ୍ରାଦ୍ଧବାର୍ଷିକୀ କରାଯାଇଛି । ସାଂସଦ ମାନସ ମଙ୍ଗରାଜ ଏହି ଅବସରରେ ଜାନକୀଙ୍କ ଘଟଣା ବହୁଳ ଜୀବନର କେତେକ ଅକୁହା କଥା କହି ତାଙ୍କ ସ୍ମୃତିଚାରଣ କରିଛନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ତଥା ପୂର୍ବତନ ପିସିସସି ସଭାପତି ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ । ସାହିତ୍ୟ, ସାମ୍ବାଦିକତା ଓ ରାଜନୀତିର ଥିଲେ ତ୍ରିବେଣୀ ସଙ୍ଗମ । ଖୋର୍ଦ୍ଧା ଜାନକୀ ବଲ୍ଲଭ ପାର୍କରେ ଏହି ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଯୋଗଦେଇ ସ୍ବର୍ଗତ ପଟ୍ଟନାୟକଙ୍କୁ ନିଜର ରାଜନୈତିକ ଗୁରୁ ବୋଲି କହିଛନ୍ତି । ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତିଚାରଣ କରି ଓଡ଼ିଆ ବାଣୀଭଣ୍ଡାରକୁ ଜାନକୀଙ୍କ ଅବଦାନଠୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋକପାତ କରିଥିଲେ । ସ୍ବର୍ଗତ ପଟ୍ଟନାୟକଙ୍କ ସ୍ମୃତିରେ ଅନୁଷ୍ଠିତ ସଙ୍ଗୀତ କାର୍ଯ୍ୟକ୍ରମରେ ସାଂସଦ ମାନସ ମଙ୍ଗରାଜ ଭାବବିହ୍ବଳ ହୋଇଯାଇଥିଲେ ।

ସେ କହିଥିଲେ, ‘ଏଭଳି କାର୍ଯ୍ୟକ୍ରମ ଜରିଆରେ ମହାପୁରୁଷମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା କଥା । ଖୋର୍ଦ୍ଧା ମାଟିରୁ ଅନ୍ୟମାନେ ଶିଖିବା ଉଚିତ । ମୁଁ ଆଜି ଗର୍ବିତ, ମୋ ରାଜେନୖତିକ ଗୁରୁଙ୍କ ଶ୍ରାଦ୍ଧ ଉତ୍ସବରେ କହିବାକୁ ସୁଯୋଗ ପାଇଲି । ଖୋର୍ଦ୍ଧାକୁ ମୁଁ ଦ୍ବିତୀୟ ଘର ବୋଲି ଭାବିଥାଏ । ଆଜି ଏଠାକୁ ଆସି ବହୁତ ଖୁସି ।’

ରାଜ୍ୟର ପ୍ରଖ୍ୟାତ କଣ୍ଠଶିଳ୍ପୀ ସୁବାସ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ତାନସେନ ସିଂଙ୍କ ଭଳି ବହୁ ବରିଷ୍ଠ କଣ୍ଠଶିଳ୍ପୀ ସଭାରେ ଯୋଗଦେଇ ସଙ୍ଗୀତ ପରିବେଷଣ କରିଥିଲେ । ଉପସ୍ଥିତ ଅତିଥିଙ୍କୁ ସଙ୍ଗୀତ ଭାବପ୍ରବଣ କରିଥିଲା । ଜାନକୀ ବଲ୍ଲଭ ପଟ୍ଟନାୟକ ଟ୍ରଷ୍ଟ ପକ୍ଷରୁ ୧୩ ଜଣ କଣ୍ଠଶିଳ୍ପୀଙ୍କୁ ନେଇ ଏହି ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ସଭାରେ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବିଧାୟକ ସୁରେଶ ରାଉତରାୟ, ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟଙ୍କ ପୁତ୍ର ପୃଥିବୀ ବଲ୍ଲଭ ପଟ୍ଟନାୟକ, କନ୍ୟା ସୁଦତ୍ତା ପଟ୍ଟନାୟକ, ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ, ସମାଜସେବୀ ସଞ୍ଜୟ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।

ସଭା ଶେଷରେ କଣ୍ଠଶିଳ୍ପୀମାନଙ୍କୁ ଉପଢୌକନ ଓ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଫଟୋ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।