ବ୍ୟାଙ୍କ ଦେଉ ନାହାନ୍ତି ଋଣ, ସଂସଦରେ ପ୍ରଶ୍ନ କଲେ ସାଂସଦ ମାନସ ମଙ୍ଗରାଜ

ନୂଆଦିଲ୍ଲୀ: ଅର୍ଥନୀତି ଉପରେ ପରିବେଶ ପ୍ରଦୂଷଣର ପ୍ରଭାବ ଏବଂ ଗ୍ରାମାଞ୍ଚଳରେ ବ୍ୟାଙ୍କ ଗୁଡ଼ିକ ଋଣ ନ ଦେବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସାଂସଦ ମାନସ ମଙ୍ଗରାଜ । ଅର୍ଥନୈତିକ ଅଭିବୃଦ୍ଧି ଉପରେ ପରିବେଶ ପ୍ରଦୂଷଣର ପ୍ରଭାବକୁ ନେଇ ୨୦୨୩ ଅର୍ଥନୈତିକ ସର୍ଭେରେ କି ରିପୋର୍ଟ ଆସିଛି ଏବଂ କେନ୍ଦ୍ର ସରକାର ସବୁଜ ଡିଜିପି ଓ ସବୁଜ ବଜେଟ ପ୍ରସ୍ତୁତ କରିବା ନେଇ କି ପଦକ୍ଷେପ ନେଉଛନ୍ତି । ଏନେଇ ଆଜି ସଂସଦରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କୁ ଲିଖିତ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ, ସୁଜିତ କୁମାର ଓ ମୁଜିବୁଲ୍ଲା ଖାନ ।

ଏହାର ଉତ୍ତରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ, ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରତିବର୍ଷ ଭାରତୀୟ ଅର୍ଥନୀତିର ବିଭିନ୍ନ ଦିଗକୁ ନେଇ ରିପୋର୍ଟ ଉପସ୍ଥାପନ କରିଥାଏ । ଅର୍ଥନୈତିକ ଅଭିବୃଦ୍ଧି ସହ ବିଭିନ୍ନ କ୍ଷେତ୍ର ବିଶେଷ କରି କୃଷି, ଶିଳ୍ପ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ନେଇ ମଧ୍ୟ ରିପୋର୍ଟ ଦେଇଥାଏ । ଜଳବାୟୁ ପରିବର୍ତ୍ତନ ଦ୍ବାରା ପଡୁଥିବା ପ୍ରଭାବର ମଧ୍ୟ ସମୀକ୍ଷା କରିଥାଏ ଅର୍ଥନୈତିକ ସର୍ଭେ ରିପୋର୍ଟ । କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ପ୍ରବର୍ତ୍ତନ ମନ୍ତ୍ରଣାଳୟ ୨୦୧୮ରେ ଏନଭିରନମେଣ୍ଟ ଇକୋନୋମିକ ଆକାଉଣ୍ଟିଂ ଫ୍ରେମୱାର୍କ ପ୍ରସ୍ତୁତ କରିଛନ୍ତି ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।

 

ଅନ୍ୟପଟେ ରାଜ୍ୟରେ ରାଷ୍ଟ୍ରାୟତ ବ୍ୟାଙ୍କ ଓ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଗୁଡିକ ଆବଶ୍ୟକ ଋଣ ଦେଉନାହାଁନ୍ତି । ଏହାକୁ ନେଇ ସଂସଦରେ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ ଓ ମୁଜ୍ଜିବୁଲ୍ଲା ଖାନ । ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକର ଋଣ ପ୍ରଦାନ ହାର ବୃଦ୍ଧି ଦିଗରେ କେନ୍ଦ୍ର ସରକାର କି ପଦକ୍ଷେପ ନେଉଛନ୍ତି ସେନେଇ ବିଜେଡି ସାଂସଦ ସଂସଦରେ ଲିଖିତ ପ୍ରଶ୍ନ କରିଛନ୍ତି ।

 

ଏହାର ଉତ୍ତରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭଗବତ କରଡ କହିଛନ୍ତି ଯେ, ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡିକୁ ଋଣ ପ୍ରଦାନ ହାର ବଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୩ ସେପ୍ଟେମ୍ବର ସୁଦ୍ଧା ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ୫୨.୨୬ ପ୍ରତିଶତ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ ୫୪.୨୩ ପ୍ରତିଶତ ଏବଂ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ୫୩.୫୩ ପ୍ରତିଶତ ଋଣ ପ୍ରଦାନ କରିଛନ୍ତି ।

 

ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକର ମଧ୍ୟ ଋଣ ପ୍ରଦାନ ହାର ବିଶେଷ କରି ଫସଲ ଋଣ ହାର ବଢାଇବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏବେ ସୁଦ୍ଧା ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକ ୫୬.୩ ପ୍ରତିଶତ ଲକ୍ଷ୍ୟ ହାସଲ କରିଛନ୍ତି ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।