ସ୍ତ୍ରୀର କାନଫୁଲ ବିକି ଲଢ଼ିଥିଲେ ନିର୍ବାଚନ, ତିନିଥର ସାଂସଦ ହେବା ପରେ ହତ୍ୟା କରିଥିଲେ ଦୁର୍ବୃତ୍ତ…

Iswar Choudhry

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ବିହାରର ରାଜନେତା ମାନେ ବିବାଦ ଭିତରେ ରହିଥାନ୍ତି । ନେତାଙ୍କ କଳାକାରନାମା ଯୋଗୁଁ ବିହାର ରାଜନୀତି ସବୁ ବେଳେ ଚର୍ଚ୍ଚାରେ ଥାଏ । ବିହାରର ନେତାମାନେ କେତେବେଳେ ବାହୁ ବଳ ଦେଖାଇ ତ କେତେବେଳେ ବିଭିନ୍ନ ସ୍କାମ୍ ଓ ଦୁର୍ନୀତିକୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି । ପଦପଦବୀ ଓ ରୁବାବ୍‌ ଦେଖାଇବା ପାଇଁ ନେତାମନେ କିଛି ବ କରିବାକୁ ପଛାନ୍ତି ନାହିଁ । ଏବେ ପୁଣି ପାଖେଇ ଆସୁଛି ବିହାର ନିର୍ବାଚନ । ତେବେ ଏଭଳି ସମୟରେ ଆମେ ମନେ ପକେଇବା ବିହାରର ସେହି ଦିବଙ୍ଗତ ନେତା ଇଶ୍ୱର ଚୌଧରୀଙ୍କ କଥା ।

Iswar Choudhry

ବିହାରରେ ମଧ୍ୟ ଏଭଳି କିଛି ନେତା ଅଛନ୍ତି ଯାହା କଥା ଶୁଣିଲେ ଆଖିରୁ ଲୁହ ଆସିଯିବ ।‌ ଯେ କେହି ବି ସେହି ନେତାଙ୍କ କାହାଣୀ ଶୁଣିବେ ସେମାନେ ସ୍ତବ୍ଧ ହୋଇଯିବେ । ଆମେ କହୁଛୁ ୧୯୭୧ ମସିହାର କଥା । ସେହି ସମୟର ଜଣେ ରାଜନେତା ଥିଲେ ଇଶ୍ୱର ଚୌଧୁରୀ । ଯାହାଙ୍କୁ ଦଳୀୟ କାର୍ଯ୍ୟକର୍ତ୍ତାମାନେ ନିଜେ ଚାନ୍ଦା କରି ନିର୍ବାଚନ ଲଢ଼ିବାକୁ ପ୍ରୋତ୍ସାହିତ କରିଥିଲେ । ଆଉ ତାଙ୍କୁ ଜିତାଇଥିଲେ ମଧ୍ୟ । ସେହି ସମୟରେ ନେତାମାନେ ନିଜର ସ୍ୱଚ୍ଛ ଭାବମୂର୍ତ୍ତି ଓ ଜନସେବା ଗୁଣ ବଳରେ ନିର୍ବାଚନୀ ମଇଦାନକୁ ଓହ୍ଲାଉଥିଲେ ।

Iswar Choudhry

ଇଶ୍ୱର ଚୌଧୁରୀ ଯେତେବେଳେ ଜନସଂଘ ଟିକଟରୁ ନିର୍ବାଚନ ମଇଦାନକୁ ଓହ୍ଲାଇଲେ, ସେତେବେଳେ ବିପକ୍ଷରେ ବିହାର ରାଜନୀତିର ପାଓ୍ୱାରଫୁଲ୍‌ ଲିଡର ବୋଲାଉଥିବା ଜଗ୍‌ଜୀବନ ରାମ୍‌ଙ୍କ ପୁଅ ସୁରେଶ ରାମ୍ କଂଗ୍ରେସ ଟିକଟରେ‌ ମଇଦାନକୁ ଓହ୍ଲାଇଥିଲେ । ସୁରେଶ ରାମ୍‌ଙ୍କୁ ହରାଇ ଇଶ୍ୱର ଚୌଧୁରୀ ବିଜୟ ହୋଇଥିଲେ ।

ସେହି ସମୟରେ ସୁରେଶ ରାମ୍‌ଙ୍କ ଆଧିପତି ଓ ପାଓ୍ୱାର ଆଗରେ ଇଶ୍ୱର ଚୌଧୁରୀ ନିମିତମାତ୍ର ବୋଲି କହିଲେ ଚଳେ । ସୁରେଶଙ୍କ ପାଖରେ ନିର୍ବାଚନ ପ୍ରଚାର ପାଇଁ ଗାଡ଼ି ଘୋଡ଼ାର ଲମ୍ବା ଲାଇନ୍‌ ଲାଗୁଥିବା ବେଳେ ଇଶ୍ୱରଙ୍କ ପାଖରେ ଗାଡ଼ି ତ ଦୂରର କଥା ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଟଙ୍କା ମଧ୍ୟ ନଥିଲା ।

Iswar Choudhry

କାର୍ଯ୍ୟକର୍ତ୍ତାଙ୍କ ଜିଦ୍‌ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ

ଇଶ୍ୱରଙ୍କ ପାଖରେ ନାମାଙ୍କନ ଦାଖଲ କରିବା ପାଇଁ ଟଙ୍କା ନଥିବା ବେଳେ କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ନିର୍ବାଚନ ଲଢ଼ିବାକୁ ପ୍ରବର୍ତ୍ତାଇଥିଲେ । ଯେଉଁଥିପାଇଁ ସେ ତାଙ୍କ ପତ୍ନୀ ନାଗିଆ ଦେବୀଙ୍କ କାନଫୁଲ ବିକ୍ରି କରି ଟଙ୍କା ଯୋଗାଡ଼ କରିଥିଲେ । ପରେ କାର୍ଯ୍ୟକର୍ତ୍ତାମାନେ ଚାନ୍ଦା କରି ୨୭ ହଜାର ଟଙ୍କା ସଂଗ୍ରହ କରିଥିଲେ । ସେହିମାନଙ୍କ ଭରସାରେ ହିଁ ଇଶ୍ୱର ନିର୍ବାଚନ ବୈତରଣୀକୁ ଓହ୍ଲାଇଥିଲେ ।

ଜନ ସଂଘର ଜଣେ ନେତା କହିଛନ୍ତି ଯେ, ସେହି ସମୟରେ ଜନ ସଂଘ ପାଇଁ ହାଓ୍ୱା ଚାଲିଥିଲା । ଯେଉଁଥିପାଇଁ କିଛି ଲୋକ ସୁରେଶ ରାମଙ୍କ କାର ପଛରେ ପତାକା ଧରି ବାହାରୁଥିଲେ ସତ ହେଲେ କିଛି ବାଟ ଗଲା ପରେ ସେମାନେ ଇଶ୍ୱରଙ୍କ ପାଇଁ ଭୋଟ ଭିକ୍ଷା କରୁଥିଲେ । ଲୋକଙ୍କ ଏହି ସମର୍ଥନ ଯୋଗୁଁ ଇଶ୍ୱର ଚୌଧୁରୀ ଏକ ବଡ଼ ବିଜୟ ହାସଲ କରିଥିଲେ ଏବଂ ସଂସଦରେ ପହଞ୍ଚିଥିଲେ ।

ତିନିଥର ସାଂସଦ

୧୯୭୧ ନିର୍ବାଚନ ​​ଜିତିବା ପରେ ଇଶ୍ୱର ଚୌଧୁରୀ ନିଜର ସରଳ ଏବଂ ନମ୍ର ଭାବମୂର୍ତ୍ତି ଯୋଗୁଁ ଲୋକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଯାହା ଫଳରେ ଜନସଂଘ ୧୯୭୭ରେ ଜନତା ପାର୍ଟିରେ ବିଲୟ ହୋଇଥିଲେ ମଧ୍ୟ ସେହି ଜନତା ପାର୍ଟିରୁ ଲଢ଼ି  ଇଶ୍ୱର ବିଜୟ ହୋଇଥିଲେ । ସେହି ନିର୍ବାଚନରେ ଇଶ୍ୱର କଂଗ୍ରେସ ଦଳର ମିଶ୍ରୀ ସଦାଙ୍କୁ ପରାଜିତ କରିଥିଲେ । ଏହାପରେ ଦୁଇ ଦୁଇ ଥର ଇଶ୍ୱରଙ୍କୁ ନିର୍ବାଚନୀ ମଇଦାନରେ ପରାଜୟ ବରଣ କରିବାକୁ ପଡ଼ିଥିଲା । ହେଲେ ୧୯୮୯ରେ ସେ ପୁଣି ଭାଜପା ଟିକଟରୁ ଲଢ଼ି କଂଗ୍ରେସର ରାମସ୍ୱରୂପ ରାମଙ୍କୁ ପରାଜିତ କରିଥିଲେ । କିନ୍ତୁ ସରକାର ଭାଙ୍ଗିଗଲା ଓ ୧୯୯୧ରେ ଅନ୍ତରୀଣ ନିର୍ବାଚନ ହେଲା ।

ଇଶ୍ୱରଙ୍କୁ ହତ୍ୟା କରିଦିଆଗଲା 

ଇଶ୍ୱର ଚୌଧୁରୀ ଅନ୍ତରୀଣ ନିର୍ବାଚନର ପ୍ରଚାର କରୁଥିଲେ । ୧୫ ମେ’ ୧୯୯୧ରେ ସେ କୋଞ୍ଚରେ ପ୍ରଚାର କରିବାକୁ ଯାଇଥିଲେ । କୋଞ୍ଚର କଠୌତିୟାର ଏକ ଯାଗାରେ ସେ ନିଜ ଗାଡ଼ିକୁ ଅଟକାଇ ଶୌଚ କରିବାକୁ ବାହାରିଥିଲେ, ସେହି ସମୟରେ ତାଙ୍କ ଉପରକୁ ଗୁଳି ବର୍ଷା କରାଯାଇଥିଲା । ଯେଉଥିରେ ତାଙ୍କର ମୃତ୍ୟୁ ହୋଇଥିଲା ।

Leave a Reply