ପଦ ଯିବା ପରେ କହିଲେ ଶିବରାଜ, ନିଜ ପାଇଁ କିଛି ମାଗିବା ଅପେକ୍ଷା ମରିଯିବା ଭଲ
ଭୋପାଳ: ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ଗଣମାଧ୍ୟମ ସାମନାରେ ମୁହଁ ଖୋଲିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ । ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ‘ମୁଁ ବିନମ୍ରତା ସହ କହୁଛି ଯେ ମୁଁ ନିଜ ପାଇଁ କିଛି ମାଗିବା ଅପେକ୍ଷା ମରିଯିବା ଭଲ । ଏଥିପାଇଁ ମୁଁ ମନା କରିଥିଲି ଯେ ଦିଲ୍ଲୀ ଯିବିନାହିଁ । ବରଂ ପାର୍ଟି ମୋତେ ଯାହା ଦାୟିତ୍ବ ଦେବ ଏଠାରେ ରହି ତାହା କରିବି ’ ।
ସେ ଆହୁରି ମଧ୍ୟ କହିଛନ୍ତି ଆଜି ଯାଏଁ ନିଜ ପାଇଁ କିଛି ନିଜେ ନିଷ୍ପତ୍ତି ନେଇ ନଥିଲି କି ନେଇନାହିଁ । ଯାହା ବି କରିଛି ଦଳର ନିଷ୍ପତ୍ତି ଅନୁସାରେ କରିଛି । ନୂଆ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କେବଳ ଗୋଟିଏ ଦାବି ରଖିଛି । ‘‘ମୋତେ ଗଛ ଲଗାଇବାକୁ ଦିଅନ୍ତୁ ମୋ ପାଇଁ କିଛି ଜମି ଉପଲବ୍ଧ କରାନ୍ତୁ ’’ ।
ଶିବରାଜ ସିଂ ଚୌହ୍ବାନ ନୂଆ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି । ବରିଷ୍ଠ ନେତା ନରେନ୍ଦ୍ର ସିଂ ତୋମାର ବିଧାନସଭାର ବାଚସ୍ପତି ପଦ ତୁଲାଇବେ ସେଥିପାଇଁ ତାଙ୍କୁ ବି ଶୁଭେଚ୍ଛା ଜଣାଇଛନ୍ତି ସିବରାଜ । ନୂଆ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ନେତୃତ୍ବରେ ବିଜେପି ସରକାର ସବୁ ଅଧୁରା କାମ ଦ୍ରୁତଗତିରେ ସମ୍ପୂର୍ଣ୍ଣ କରିବ । ତାଙ୍କୁ ସହଯୋଗ କରିବାକୁ କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ନେବା ଅବସରରେ ସେ କହିଛନ୍ତି ମୋତେ ଖୁସି ଲାଗୁଛି ଯେ ୨୦୨୩ରେ ବିଜେପି ରାଜ୍ୟରେ ବହୁମତରେ ସରକାର ଗଠନ କରିଛି । ଏହି କିଛି ବର୍ଷ ମଧ୍ୟରେ ନିଜ ସାମର୍ଥ୍ୟ ଓ କ୍ଷମତା ବଳରେ ରାଜ୍ୟ ବିକାଶରେ ସହଯୋଗ କରିଛି । ନୂଆ ସରକାର ଖୁବଶୀଘ୍ର ଜନକଲ୍ୟାଣକାରୀ ଯୋଜନା ଲାଗୁ କରିବାକୁ ଯାଉଛି । ୨୦୨୩ରେ କେନ୍ଦ୍ର ଯୋଜନା ଓ ଲାଡଲୀର ଯୋଗଦାନ ଫଳରେ ମଧ୍ୟପ୍ରଦେଶରେ ପୁଣିଥରେ ବିଜେପି ବାଜିମାତ କରିବା ସମ୍ଭବ ହୋଇପାରିଛି ।