ଗୋଇଠା ମାରି ବିଷ୍ଣୁ, ବିଜେପି ନେତାଙ୍କ ପରିଶ୍ରା କାଣ୍ଡ ପରେ ଶିବରାଜ ସିଂହଙ୍କ ଡ୍ୟାମେଜ କଣ୍ଟ୍ରୋଲ

ଭୋପାଳ: ଆଗ ଆଦିବାସୀ ବ୍ୟକ୍ତିଙ୍କ ଉପରେ ପରିଶ୍ରା କଲେ ବିଜେପି ନେତା ଏବେ ଗୋଡ଼ ଧୋଇ ଡ୍ୟାମେଜ୍ କଣ୍ଟ୍ରୋଲ ଲକ୍ଷ୍ୟରେ ଶିବରାଜ ସରକାର । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ପୀଡ଼ିତ ଆଦିବାସୀ ଦଶମତ ରାଓ୍ବତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସାକ୍ଷାତ କରିଛନ୍ତି । ଦଶମତଙ୍କ ପାଦ ଧୋଇ, ଟିକା ଲଗାଇବା ସହ ଶାଲ୍ ଦେଇ ସମ୍ମାନିତ କରିଛନ୍ତି । ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହ ଏଥିପାଇଁ କ୍ଷମା ମାଗିଛନ୍ତି ଶିବରାଜ । ମଧ୍ୟପ୍ରଦେଶ ସିଧି ଜିଲ୍ଲାରେ ଦଶମତଙ୍କ ଉପରେ ବିଜେପି ନେତାଙ୍କ ପରିଶ୍ରା କରିବା ଘଟଣାକୁ ନେଇ ଚାରିଆଡୁ ନିନ୍ଦା କରାଯାଇଥିଲା। ଆଦିବାସୀଙ୍କୁ ଅପମାନ ନେଇ କଂଗ୍ରେସ ଲଗାତର ବିଜେପିକୁ ଟାର୍ଗେଟ୍ କରିଥିଲା।

ବିଜେପି ସରକାରରେ ଆଦିବାସୀଙ୍କୁ ଅତ୍ୟାଚାର ବଢୁଛି । ବିଜେପି ନେତାଙ୍କ ଏଭଳି କାଣ୍ଡରେ ମାନବିକତା ଲଜ୍ଜିତ ହୋଇଛି। ଆଦିବାସୀ ଓ ଦଳିତଙ୍କ ପ୍ରତି ଏହା ବିଜେପି ଘୃଣାର ଅସଲ ଚରିତ୍ର ବୋଲି ରାହୁଲ ଗାନ୍ଧୀ କହିଥିଲେ। ଚାରିଆଡୁ ଟାର୍ଗେଟ୍ ହେବା ପରେ ଡ୍ୟାମେଜ୍ କଣ୍ଟ୍ରୋଲ ମୋଡକୁ ଆସିଛନ୍ତି ସିଏମ୍ ଶିବରାଜ ସିଂ ଚୌହାନ । ଗୋଇଠା ମାରି ବିଷ୍ଣୁ କରିବା ନ୍ୟାୟରେ ଦଶମତଙ୍କୁ ବାସଭବନକୁ ଡାକି ସମ୍ମାନିତ କରିଛନ୍ତି । ତେବେ ଆଗକୁ ନିର୍ବାଚନ ଥିବାରୁ ଇମେଜ ସଜାଡିବାକୁ ଶିବରାଜ ଏଭଳି କରିଥିବା ଚର୍ଚ୍ଚା ହେଉଛି ।