ମଧ୍ୟପ୍ରଦେଶ ଉପ ନିର୍ବାଚନର ବାଜି ଲାଗିଛି ମହାରାଜାଙ୍କ ପ୍ରତିଷ୍ଠା,ବିଜୟ ଉପରେ ନିର୍ଭର କରେ ଶିବରାଜ ସରକାରର ସ୍ଥିରତା

ଭୋପାଲ  : ବିହାରରେ ଏନଡିଏ ନୀତିଶ ଚତୁର୍ଥ ଇନିଂସ ଖେଳନ୍ତୁ ବୋଲି ଚାହୁଁଛି । ବିହାରରେ ତେଜସ୍ୱୀ ଏନଡିଏକୁ ବ୍ରେକ୍ ଦେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ  ମଧ୍ୟପ୍ରଦେଶ ପରିସ୍ଥିତି ଟିକେ ଅଲଗା । ସେଠାରେ କମଳ ସରକାରର ସ୍ଥିରତା ଉପ ନିର୍ବାଚନର ଫଳାଫଳ ଉପରେ ନିର୍ଭର କରୁଛି । ବିଜେପି ଜିତିଲେ କମଳ ବା ଶିବରାଜ ସରକାର ସ୍ଥିର ରହିବ,ବିଜେପି ହାରିଲେ କମଲନାଥଙ୍କ କଂଗ୍ରେସ ପୁଣି କ୍ଷମତାକୁ ଫେରିବାର ସମ୍ଭାବନା ରହିଛି ।

ହିସାବ ଏମିତି

ମଧ୍ୟପ୍ରଦେଶ ବିଧାନସଭାରେ ରହିଛି ୨୩୦ ସିଟ । ନିକଟରେ ଦମୋହା ବିଧାୟକ ରାହୁଲ ସିଂହଙ୍କ ଇସ୍ତଫା ପରେ ଏବେ ବହୁମତ ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୧୧୫ । ବିଜେପି ପାଖରେ ଏବେ ରହିଛି ୧୦୭ ଆସନ । ଅନ୍ୟପକ୍ଷରେ କଂଗ୍ରେସର ଅଛନ୍ତି ୮୭ ବିଧାୟକ । ବିଜେପି ଯଦି ଉପ ନିର୍ବାଚନ ହେଉଥିବା ୨୮ ଆସନରୁ ଅତିକମରେ ୮ ଆସନ ଜିତୁନି ତେବେ ସରକାର ଭାଙ୍ଗିବା ନିଶ୍ଚିତ । କାରଣ ଏଭଳି ପରିସ୍ଥିତିରେ କମଲନାଥ ପୁଣିଥରେ ସରକାର ଗଠନ ପାଇଁ ଦାବି ରଖି ପାରନ୍ତି ।

kamal-nath-shivraj

ମହାରାଜାଙ୍କ ପ୍ରତିଷ୍ଠା ମଧ୍ୟ ବାଜିରେ

କଂଗ୍ରେସକୁ ଛାଡି ନିଜ ବିଶ୍ୱସ୍ତ ସେନାପତୀ ମାନଙ୍କ ସହିତ ବିଜେପିର ହାତ ଧରିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପାଇଁ ଏହି ଉପ ନିର୍ବାଚନ ପ୍ରତିଷ୍ଠାର  ପ୍ରଶ୍ନ । ଯଦି ସେ ଅଧିକରୁ ଅଧିକ ଆସନରେ ନିଜ ସମର୍ଥକଙ୍କୁ ଜିତାଇ ପାରୁନାହାନ୍ତି ତେବେ ବିଜେପିର କେନ୍ଦ୍ରିୟ ନେତୃତ୍ୱ ନିକଟରେ ତାଙ୍କ ଗୁରୁତ୍ୱ ହ୍ରାସ ପାଇବ । ଅନ୍ୟପକ୍ଷରେ ମଧ୍ୟପ୍ରଦେଶ ରାଜନୀତିରେ ତାଙ୍କୁ ଶିବରାଜଙ୍କ ନୈପଥ୍ୟରେ ରହିବାକୁ ପଡିବ ।

Jyotiaditya-Scindia

ଏଗଜିଟ୍ ପୋଲ୍ କ’ଣ କହୁଛି ?

ଏଗଜିଟ୍ ପୋଲ୍ ବିଜେପିକୁ ଅଧିକ ସିଟ୍ ଦେଉଛି । ୨୮ ଆସନରୁ ବିଜେପି ୧୬ରୁ ୧୮ ଜିତିବ ବୋଲି କୁହାଯାଉଛି । ମଧ୍ୟପ୍ରଦେଶରେ ନଭେମ୍ବର ୩ ତାରିଖରେ ଭୋଟ୍ ହୋଇଥିଲା । ତେବେ ମଧ୍ୟପ୍ରଦେଶର କମଲ୍ କି କମଲନାଥ୍ ତାହା ମାତ୍ର ଆଉ କେଇ ଘଣ୍ଟା ମଧ୍ୟରେ ଜଣା ପଡିଯିବ ।

Leave a Reply