ମୋହନ ଯାଦବ ସରକାରଙ୍କ ବିରୋଧରେ ବିଜେପି ବିଧାୟକଙ୍କ ବିଦ୍ରୋହ

1 min read

ଭୋପାଳ : ମଧ୍ଯପ୍ରଦେଶ ବିଜେପିରେ ତୀବ୍ର ଗୋଷ୍ଠୀ କନ୍ଦଳ । ମୋହନ ଯାଦବ ସରକାରଙ୍କ ବିରୋଧରେ ବହୁ ବିଜେପି ବିଧାୟକଙ୍କ ବିଦ୍ରୋହ ଏବେ ଦଳ ଓ ସରକାର ଲାଗି ଚିନ୍ତାର କାରଣ ହୋଇଛି । ଇସ୍ତଫା, ସୋସିଆଲ ମିଡିଆରେ ଆରୋପ-ପ୍ରତ୍ଯାରୋପ, ଜାତିଭିତ୍ତିକ ଶାସନ ବ୍ଯବସ୍ଥାକୁ ନେଇ ସମାଲୋଚନା ଆଦି ଭିତରେ ସଙ୍କଟ ଭିତରକୁ ଚାଲିଯାଇଛି ଦଳ । ୩ ପୂର୍ବତନ ମନ୍ତ୍ରୀ ଓ ୩ ବିଧାୟକ ଏବେ ଦଳ ଲାଗି ସାଜିଛନ୍ତି ଘାତକ । ରାଜ୍ଯ ସରକାରଙ୍କ ପରିଚାଳନା ବ୍ଯବସ୍ଥା ଓ ନେତୃତ୍ବକୁ ନେଇ ଚାଲିଛି ବିଦ୍ରୋହ । ଗତ ଗୁରୁବାର ଦେଓରି ବିଧାୟକ ବ୍ରିଜ ବିହାରୀ ପାଟେରିଆ ଇସ୍ତଫା ଦେଇ ନିଜ ଇସ୍ତଫା ପତ୍ରକୁ ବାଚସ୍ପତିଙ୍କୁ ନିକଟକୁ ପଠାଇଥିଲେ । ସର୍ପାଘାତଜନିତ ଏକ ମୃତ୍ଯୁ ମାମଲାରେ ବ୍ରିଜ ବିହାରୀ ଦେଇଥିବା ଏକ ଏଫଆଇଆରକୁ ପୋଲିସ ନ ରଖିବା ପ୍ରତିବାଦରେ ସେ ଇସ୍ତଫା ଦେଇଥିଲେ । ପରେ ସେ କିନ୍ତୁ ନିଜ ଇସ୍ତଫା ପତ୍ର ପ୍ରତ୍ଯାହାର କରି ନେଇଥିଲେ । ସେହିପରି ମାଉଗଞ୍ଜ ବିଧାୟକ ପ୍ରଦୀପ ପଟେଲ ବି ଇସ୍ତଫା ଦେଇଥିଲେ । ତେବେ ଇସ୍ତଫାର ଦିନକ ପୂର୍ବରୁ ସେ ଏସପିଙ୍କ ଦ୍ବାରସ୍ଥ ହେବା ଘଟଣା ଚର୍ଚ୍ଚାର ପରିସରକୁ ଆସିଥିଲା । ମଦମାଫିଆଙ୍କୁ ପୋଲିସ ସୁରକ୍ଷା ଦେଉଛି ବୋଲି ସେ ଅଭିଯୋଗ କରିଥିଲେ । ତେଣେ ପ୍ରଦୀପଙ୍କୁ ସମର୍ଥନ କରି ରାଜ୍ଯ ସରକାରଙ୍କ ଉପରେ ବର୍ଷିଥିଲେ ପୂର୍ବତନ ମନ୍ତ୍ରୀ ତଥା ପାଟନ ଏମଏଲଏ ଅଜୟ ବିଷ୍ଣୋଇ । ସେହିପରି ମଦର ପ୍ରସାର ନେଇ ସରକାରଙ୍କ ବିରୋଧରେ ବର୍ଷିଥିଲେ ନରିୟାଓ୍ବାଲି ବିଧାୟକ । ଅନ୍ଯଜଣେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ପାଠକ ବି ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି । ସେ କହିଛନ୍ତି ତାଙ୍କ ନିରାପତ୍ତା ବିପନ୍ନ ହୋଇଛି ଏବଂ ତାଙ୍କର ଆଧାର କାର୍ଡକୁ ଜାଲିଆତି କରାଯାଇଛି । ଏହା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ରହିଛି । ଗଢ଼ାକୋଟା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଗୋପାଳ ଭାର୍ଗବ ବି କହିଛନ୍ତି- ବର୍ତ୍ତମାନ ଦୁଷ୍କର୍ମ ସଂଖ୍ଯା ବଢିଛି । ଲୋକମାନେ ରାବଣ ପୋଡି କରିବାର ଯଥାର୍ଥତା କେତେ ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେପିରେ ଏହି ସ୍ଥିତିକୁ ନେଇ ସମାଲୋଚନା କରିଛି କଂଗ୍ରେସ । ସେପଟେ ରାଜ୍ଯ ବିଜେପିରେ ସେପରି କୌଣସି ସଙ୍କଟ ହୋଇନାହିଁ ବୋଲି କହିଛନ୍ତି ସଭାପତି ଭି.ଡି. ଶର୍ମା ।