ପ୍ରେସମିଟ୍ କରି ଅବାନ୍ତର ଯୁକ୍ତି କଲେ ସାଂସଦ ଅପରାଜିତା; ବିଜେଡି କହିଲା, କରୋନା ଦଳ ଦେଖି ଆସେନି…

ଭୁବନେଶ୍ୱର: କୋଭିଡ୍ ନିୟମ ଉଲଂଘନ କରି ଅପରାଜିତା ଷଡ଼ଙ୍ଗୀ ବାସଭବନରେ ନିଜ ଜନ୍ମଦିନ ପାଳନ କଲେ । ପ୍ରତିବଦଳରେ ବିଏମସି କାର୍ଯ୍ୟାନୁଷ୍ଠାନ ନେଲା । ବିଏମସି ପଳାଶପଲ୍ଲୀସ୍ଥିତ ତାଙ୍କ ବାସଭବନକୁ ୧୫ ଦିନ ପାଇଁ ସିଲ କରିଛି । ତେବେ ଏବେ ନିଜ ଦୋଷ ସ୍ୱୀକାର କରି କ୍ଷମା ମାଗିବା ପରିବର୍ତ୍ତେ ସେ ପ୍ରେସମିଟ୍ କରି ନିଜ ରିପୋର୍ଟ କାର୍ଡ ଦେଖାଉଛନ୍ତି । କୋଭିଡ୍ କଟକଣା ଭାଙ୍ଗିବା ସତ୍ତ୍ୱେ ସେ ପ୍ରେସ ମିଟ୍ କରି ନିଜ ସପକ୍ଷରେ ଓକିଲାତି କରିଛନ୍ତି ।

ଅନ୍ୟ ନେତାଙ୍କ ଉଦାହରଣ ଦେଇ ସେମାନଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ହୋଇଛି କି ବୋଲି ପ୍ରଶ୍ନ କରିଥିଲେ ।  ନିଜ ସପକ୍ଷରେ ଏହିଭଳି ଅନେକ ଅବାନ୍ତର ଯୁକ୍ତି କରିଥିଲେ । ସେହିଭଳି ତାଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ଶାସକ ଦଳ ବିଜେଡିର ହସ୍ତକ୍ଷେପ ରହିଥିବା ଆରୋପ ଲଗାଇଛନ୍ତି । ଅନ୍ୟପକ୍ଷରେ ଏଭଳି ଆରୋପକୁ ଖାରଜ କରିଛନ୍ତି ବିଜେଡି ଦଳୀୟ ମୁଖପାତ୍ର ସୁଲତା ଦେଓ ।

ସେ କହିଛନ୍ତି ଯେ, କୌଣସି ଘର ବା କୋଠା ସିଲ କରାଯିବା ନିଷ୍ପତ୍ତି ପ୍ରଶାସନର ଅଟେ, ବିଜେଡିର ଏଭଳି କାର୍ଯ୍ୟାନୁଷ୍ଠାନରେ କୌଣସି ହସ୍ତକ୍ଷେପ ନୁହେଁ । ଧନ ଜୀବନକୁ ଅଗ୍ରାଧିକାର ଦେଇ  ଅତୀତରେ ଅନେକ କୋଠା ଓ ହୋଟେଲ  ମଧ୍ୟ ସିଲ  ହୋଇଛି।  ଆଗକୁ ମଧ୍ୟ ହେବ। କୋଭିଡ କୌଣସି ଦଳ ଦେଖି ଆସେନାହିଁ। ଆମେ ସମସ୍ତେ କୋଭିଡ ଲଢେ଼ଇ ଲଢ଼ୁଛେ। ଏହାକୁ ନେଇ ରାଜନୀତି  ନହେବା ଉଚିତ।

Leave a Reply