ସାଂସଦ ଅପରାଜିତାଙ୍କ ପିଏଙ୍କ ଗୁଣ୍ଡାଗିରି ଘଟଣା, ଡିସିପିଙ୍କ ଦ୍ୱାରସ୍ଥ ହେଲେ ଶୁଭମ୍ ଓ ତାଙ୍କ ମା’‌

1 min read
Aparajita Sarangi

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପିଏଙ୍କ ଗୁଣ୍ଡାଗିରି ଘଟଣା । ଡିସିପିଙ୍କ ଦ୍ୱାରସ୍ଥ ହେଲେ ଅଭିଯୋଗକାରୀ ସିପ୍ରା ହୀରା ଓ ତାଙ୍କ ପୁଅ ଶୁଭମ୍‌ ହୀରା । ଗତ ୧୨ ତାରିଖରେ ସାଂସଦ ନିଖୋଜ ଥିବା ପୋଷ୍ଟର ମରାକୁ ନେଇ ପିଏ ଧନେଶ୍ୱରଙ୍କ ସମେତ ୧୦ରୁ ଅଧିକ ଯୁବକ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମର୍ଥକ ମାଡ଼ ମାରିଥିବା ନେଇ ଲଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ ସୀପ୍ରା । ଅଭିଯୋଗ ପରେ ଅସୁସ୍ଥତା କହି ସମସ୍ତେ ମେଡ଼ିକାଲରେ ଭର୍ତ୍ତି ହୋଇଥିବା କୁହାଯାଉଛି । ତେବେ ଅଭିଯୁକ୍ତଙ୍କୁ ସାଂସଦ ମାଡାମ ଅପରାଜିତା ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରିଛନ୍ତି ଶୁଭମ୍‌ । ମାଡ଼ ମାରିଥିବା ଯୁବକଙ୍କୁ ତୁରନ୍ତ ଗିରଫ କରିବାକୁ ଡିସିପିଙ୍କୁ ସେ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ରୀୟ ସ୍ମାରକୀ ପ୍ରାଧିକରଣ (NMA) ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ-ଲ’ ଯେବେ ପ୍ରକାଶ ପାଇଥିଲା । ସେତେବେଳେ ସବୁଠି ଏହାକୁ ଏକାମ୍ର କ୍ଷେତ୍ରର ବିକାଶରେ ବାଧାପ୍ରାପ୍ତ ହେବ ବୋଲି କୁହାଯାଉଥିଲା । ଏମିତିକି ସବୁଠି ବାଇ-ଲ କୁ ବିରୋଧ କରାଯାଉଥିଲା । ହେଲେ ଆଶ୍ଚର୍ଯ୍ୟର କଥା ଥିଲା ଯେ, ବିକାଶକୁ ନେଇ ସବୁବେଳେ ଡିଣ୍ଡିମ ପିଟୁଥିବା ମାଡାମ୍ ଅପରାଜିତା ଏହାକୁ ନେଇ ପୂରା ଚୁପ୍ ଥିଲେ । ଯାହା ଫଳରେ ସୋସିଆଲ ମିଡିଆ ତଥା ରାଜଧାନୀର ଗଳିକନ୍ଦିରେ ଅପରାଜିତା ନିଖୋଜ ବୋଲି ପୋଷ୍ଟର ଲାଗିଥିଲା । ଖାଲି ସେତିକି ନୁହେଁ ସୋସିଆଲ ମିଡିଆରେ ହଜାର ହଜାର ଟ୍ୱିଟ୍‌ ଦେଖିବାକୁ ମିଳିଥିଲା । ଯେଉଁଥିରେ ଅପରାଜିତାଙ୍କ ଚୁପ୍‌ ରହିବା ନେଇ ସମାଲୋଚନା କରାଯାଇଥିଲା ।

ତେବେ ସବୁଠାରୁ ବଡ଼ କଥା ହେଲା ଏହି ପୋଷ୍ଟର ମରା ଘଟଣାକୁ ନେଇ ଅପରାଜିତାଙ୍କ ସମର୍ଥକମାନେ କିଛି ଯୁବକଙ୍କୁ ଆକ୍ରମଣ କରିଥିଲେ । ସେଥିରେ ଶୁଭମ୍‌ ହୀରା ଗୁରୁତର ହୋଇଥିଲେ । ତେବେ ଶୁଭମ୍‌ଙ୍କ ମା’ ନିଜେ ଥାନାରେ ଏନେଇ ଆକ୍ରମଣକାରୀଙ୍କ ବିରୋଧରେ ଏତଲା ଦେଇଥିଲେ । ଆକ୍ରମଣକାରୀଙ୍କ ମଧ୍ୟରେ ସାଂସଦଙ୍କ ପିଏ ଥିବା ମଧ୍ୟ ସେ କହିଥିଲେ । କିନ୍ତୁ ଏବେ ଅଭିଯୁକ୍ତମାନେ ସ୍ୱାସ୍ଥ୍ୟଗତ ସମସ୍ୟାର ଆଳ ଦେଖାଇ ମେଡିକାଲରେ ଭଲ କ୍ୟାବିନ୍‌ରେ ମଉଜ କରୁଥିବା ଦେଖାଯାଇଛି । ଖୋଦ୍‌ ଶୁଭମ୍‌ଙ୍କ ମା ଏନେଇ ଭୁବନେଶ୍ୱର ଡିସିପିଙ୍କୁ ଅଭିଯୋଗ କରିଛନ୍ତି । ଆକ୍ରମଣକାରୀଙ୍କୁ ତୁରନ୍ତ ଦଣ୍ଡ ମିଳୁ ବୋଲି ସେ ଦାବି କରିଛନ୍ତି ।

Leave a Reply