ଚାଷୀଙ୍କ ଫସଲ ବୀମା ଅର୍ଥ ପ୍ରସଙ୍ଗ, କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ୱର: କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ଚିଠି । ରାଜ୍ୟର ଲକ୍ଷାଧିକ ଚାଷୀଙ୍କୁ ଫସଲବୀମା କମ୍ପାନୀ ପ୍ରତାରଣା କରୁଥିବା ଚିଠିରେ ଅମର ଉଲ୍ଲେଖ କରିଛନ୍ତି । ତୁରନ୍ତ ଏଥିରେ ହସ୍ତକ୍ଷେପ କରିବା ସହ ଚାଷୀଙ୍କୁ ସେମାନଙ୍କ ଫସଲ ବୀମା ମିଳିବା ଦିଗରେ ପଦକ୍ଷେପ ନେବାକୁ ସାଂସଦ ଅମର ପଟ୍ଟନାୟକ ଅନୁରୋଧ କରିଛନ୍ତି ।  ଚାଷୀମାନଙ୍କୁ ଫସଲ ବୀମାରାଶି ଦେବା ନେଇ ବୀମା କମ୍ପାନୀଗୁଡ଼ିକ ଅହେତୁକ ବିଳମ୍ବ କରୁଛନ୍ତି ।  ଦୀର୍ଘଦିନ ଧରି ଚାଷୀମାନେ ଫସଲ ବୀମା କରିଥିଲେ ମଧ୍ୟ ଆବଶ୍ୟକ ସମୟରେ ମିଳୁନାହିଁ । ବୀମା କମ୍ପାନୀଗୁଡ଼ିକ ବୀମାରାଶି ଦେବା ନେଇ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଠିକ୍ ସମୟରେ ଚାଷୀମାନେ ବୀମା ଅର୍ଥ ନପାଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବୀମା କମ୍ପାନୀ ଚାଷୀଙ୍କଠାରୁ ଫସଲ ବୀମା ପ୍ରିମିୟମ ନେଇ ଚାଷୀଙ୍କୁ ଠକିବା ଏକ ଦଣ୍ଡନୀୟ ଅପରାଧ । ବୀମା କମ୍ପାନୀଗୁଡିକ ଫସଲ କଟା ସମୟକୁ ଅପେକ୍ଷା କରୁଥିବା କୁହାଯାଉଛି । ଯାହାକି ଫସଲ ବୀମା ନିୟମର ବିରୋଧାଚରଣ କରୁଛି । ରାଜ୍ୟରେ ଫସଲ ବୀମା କରୁଥିବା କମ୍ପାନୀଗୁଡ଼ିକଙ୍କ ମନମାନୀ ଚରମ ସୀମାରେ ପହଞ୍ଚିଛି । ଅନେକ ସମୟରେ ରାଜ୍ୟ ସରକାର ଚାଷୀଙ୍କୁ ସେମାନଙ୍କ ବୀମାରାଶି ଦେବାକୁ ଏସବୁ କମ୍ପାନୀକୁ ଅନୁରୋଧ କରୁଥିଲେ ମଧ୍ୟ କମ୍ପାନୀ ଶୁଣୁନାହାନ୍ତି । ଏ ପ୍ରସଙ୍ଗ ରାଜ୍ୟସଭାର ଶୂନ୍ୟକାଳରେ ଉଠିଥିଲା । କିନ୍ତୁ ବୀମା କମ୍ପାନୀଗୁଡ଼ିକୁ କାହାକୁ ଖାତିର କରୁନାହାନ୍ତି । ତେଣୁ କେନ୍ଦ୍ର କୃଷି ମନ୍ତ୍ରାଳୟ  ଏ ସଂକ୍ରାନ୍ତରେ ବିହିତ ପଦକ୍ଷେପ ନେବା ସହ ତୁରନ୍ତ ଚାଷୀଙ୍କୁ ସେମାନଙ୍କୁ ବୀମାରାଶି ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ସାଂସଦ ଅମର ପଟ୍ଟନାୟକ।