ଋଷ-ୟୁକ୍ରେନ ଯୁଦ୍ଧର ଅନ୍ତ ନେଇ ବଢୁଛି ସସପେନ୍ସ

1 min read

ନନ୍ଦିଘୋଷ ବ୍ୟୁରୋ: ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ଅନ୍ତ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ହସ୍ତକ୍ଷେପ। ଶାନ୍ତି ପ୍ରତିଷ୍ଠା ଲାଗି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଟ୍ରମ୍ପ କେତେକ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି । ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ଯେଉଁ କେତେକ ପ୍ରମୁଖ ଦିଗ ଉପରେ ଆଲୋଚନା ହୋଇଛି ତନ୍ମଧ୍ୟରେ ରହିଛି ବିଭିନ୍ନ ଅଞ୍ଚଳର ମାଲିକାନା।

୨୦୧୪ରୁ ଋଷ ଅକ୍ତିଆରରେ ଥିବା ପର୍ଯ୍ୟାପ୍ତ ଅଞ୍ଚଳ ଉପରୁ ନିଜର ଅଧିକାର ହଟାଇନେବ ୟୁକ୍ରେନ। ଋଷ ଓ ୟୁକ୍ରେନ ମଧ୍ୟରେ ଏକ ଅଣସାମରିକ ଜୋନ ଗଠନ କରିବା। ଏହି ଅଞ୍ଚଳରେ କୌଣସି ନାଟୋ ସେନା ରହିବେ ନାହିଁ । ବରଂ ୟୁରୋପୀୟ ଶାନ୍ତିରକ୍ଷକ ବାହିନୀ ମୁତୟନ ହେବେ । ନାଟୋରେ ୟୁକ୍ରେନର ସଦସ୍ୟତା ପ୍ରସ୍ତାବକୁ ଗ୍ରହଣ କରାଯିବା ନାହିଁ। ଆମେରିକା ଓ ୟୁକ୍ରେନ ମଧ୍ୟରେ ବୃହତ ବାଣିଜ୍ୟିକ ବୁଝାମଣା ପ୍ରତିଷ୍ଠା କରାଯିବ। ଏହି ପ୍ରସ୍ତାବ ଅନୁସାରେ ୟୁକ୍ରେନର ନିରାପତ୍ତା ବିଷୟ ଆମେରିକା ହାତରେ ରହିବ।

ଏହା ଛଡ଼ା ୟୁକ୍ରେନରେ ଗଚ୍ଛିତ ଲିଥିୟମ ସମେତ ପ୍ରଚୁର ଖଣିଜ ପଦାର୍ଥର ନିୟନ୍ତ୍ରଣ ଆମେରିକା ନେବ। ତେବେ ସାମରିକ ସହାୟତା ନେଇ ଆମେରିକାକୁ ୟୁକ୍ରେନ ପ୍ରଦାନ କରିଆସୁଥିବା କ୍ଷତିପୂରଣକୁ ନେଇ ଦ୍ବନ୍ଦ୍ବ ଉପୁଜିଛି । ଏହି କ୍ଷତିପୂରଣ ବାବଦରେ ଆମେରିକାକୁ ୟୁକ୍ରେନ ୫୦୦ ନିୟୁଦ ଡଲାରର ଖଣିଜ ପଦାର୍ଥର ମାଲିକାନା ହସ୍ତାନ୍ତର କରୁ । ୟୁକ୍ରେନରେ ୧୨ ଟ୍ରିଲିୟନ ଡଲାରର ପ୍ରାକୃତିକ ସମ୍ପଦ ଗଚ୍ଛିତ ରହିଛି । ତେବେ ଆମେରିକାର ଏହି ପ୍ରସ୍ତାବକୁ ୟୁକ୍ରେନ କେତେଦୂର ଗ୍ରହଣ କରିବ ତାହାକୁ ନେଇ ସନ୍ଦେହ ଉପୁଜିଛି ।

ସେପଟେ ୟୁକ୍ରେନକୁ ବ୍ରିଟେନ ୨୦୩୦ ସୁଦ୍ଧା ବାର୍ଷିକ ୩ ବିଲିୟନ ପାଉଣ୍ଡର ସାମରିକ ସହାୟତା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ କେର୍ ଷ୍ଟର୍ମର ଯେଉଁ ଘୋଷଣା କରିଛନ୍ତି ତାହାକୁ ନେଇ ମଧ୍ଯ ବିବାଦ ସୃଷ୍ଟି ହୋଇଛି । ଏକ ବୃହତ ଅସ୍ତ୍ରବିରତି ଅଞ୍ଚଳରେ ଫ୍ରାନ୍ସ ଓ ବ୍ରିଟେନର ସାମରିକ ବାହିନୀ ପାଟ୍ରୋଲିଂ କରିବା ଲାଗି ମଧ୍ୟ ଆଲୋଚନା ହୋଇଛି। ଏହି ପ୍ରମୁଖ ପ୍ରସ୍ତାବଗୁଡିକୁ ଯଦି ୟୁକ୍ରେନ ଗ୍ରହଣ କରେ ତେବେ ଯୁଦ୍ଧ ଥମିବା ଆଶା କରାଯାଉଛି। ସେପଟେ ଟ୍ରମ୍ପଙ୍କ ଏହି ପ୍ରସ୍ତାବକୁ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି କେତେଦୂର ଗ୍ରହଣ କରିବେ ତାହାକୁ ନେଇ ଉଠିଛି ପ୍ରଶ୍ନ।