୫-ଟିକୁ ସଶକ୍ତ କରିବାକୁ ଓଡ଼ିଶାରେ କାମ କରିବ ନୋବେଲ୍ ବିଜେତା ଅଭିଜିତଙ୍କ ସଂସ୍ଥା
1 min readଭୁବନେଶ୍ୱର: ରାଜ୍ୟ ସରକାର ଏବଂ ଜେ-ପଲ୍ (ଅବଦୁଲ୍ ଲତିଫ୍ ଜମିଲ୍ ପୋଭର୍ଟି ଆକ୍ସନ୍ ଲାବ୍) ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଏବଂ ଜେ-ପଲ୍ ଦକ୍ଷିଣ ଏସିଆ ପକ୍ଷରୁ ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶୋଭିନୀ ମୁଖାର୍ଜୀ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।
ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅନୁରୂପ ଏହି ବୁଝାମଣା ପତ୍ର ସରକାରଙ୍କ ନୀତି ନିର୍ଦ୍ଧାରଣରେ ଗବେଷଣା ଭିତ୍ତିକ ସହଯୋଗ ଯୋଗାଇ ଦେଇ ସାଧାରଣ ଲୋକଙ୍କ ଜୀବନ ପରିବର୍ତ୍ତନ ଆଣିବାରେ ସହାୟକ ହେବ ବୋଲି ସୂଚନା ମିଳିଛି । ଦାରିଦ୍ର୍ୟ ଦୂରିକରଣ ପାଇଁ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାର ଗ୍ରହଣ କରିଥିବା କାର୍ଯ୍ୟକ୍ରମର ସୁଫଳ ଯେପରି ସର୍ବାଧିକ ହିତାଧିକାରୀ ପାଇପାରିବେ, ସେ ଦିଗରେ ଉଭୟ କାର୍ଯ୍ୟକରିବେ । ଜେ-ପଲ୍ ଏ ଦିଗରେ ଗବେଷଣା ଲବ୍ଧ ତଥ୍ୟ ଭିତ୍ତିକ ବୈଷୟିକ ସହଯୋଗ ଯୋଗାଇ ଦେବ ।
ଏହି ସହଯୋଗ ବିଭିନ୍ନ ବିଭାଗ ବିଶେଷତଃ ଶ୍ରମ, ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁକଲ୍ୟାଣ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଯୋଜନାର କାର୍ଯ୍ୟକାରିତା ସଂପର୍କରେ ତଥ୍ୟ ସଂଗ୍ରହ କରି ତାର ମୂଲ୍ୟାୟନ କରିବ । ତାହା ସହିତ ଏହିସବୁ କା ର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଦକ୍ଷତାବୃଦ୍ଧି ତାଲିମ୍ କାର୍ଯ୍ୟକ୍ରମ ମଧ୍ୟ ଗ୍ରହଣ କରାଯିବ । ପୁଷ୍ଟିହୀନତା, ମହିଳା ସଶକ୍ତିକରଣ, ଦାଦନ ଶ୍ରମିକ ସମସ୍ୟା, ସ୍ୱାସ୍ଥ୍ୟ କର୍ମୀଙ୍କ କାର୍ଯ୍ୟଦକ୍ଷତା ଏବଂ କୃଷି ଉତ୍ପାଦକତା କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ନୀତି ସଂପର୍କରେ ଆଲୋଚନା କରାଯାଇ ସାଧାରଣ ଲୋକଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ପାଇଁ ପଦକ୍ଷେପ ନିଆଯିବ ।
ଏହି କାର୍ଯ୍ୟକ୍ରମ ଦ୍ୱାରା ଓଡ଼ିଶାବାସୀଙ୍କ କ୍ରମ ବର୍ଦ୍ଧିଷ୍ଣୁ ଆଶା ଆକାଂକ୍ଷା ପୂରଣ ହେବା ସହିତ ରାଜ୍ୟରେ ଆଣିବାକୁ ଥିବା ପରିବର୍ତ୍ତନର ଲକ୍ଷ୍ୟପୂରଣ ଦିଗରେ ଟିମ୍ ଓଡ଼ିଶାର ଉଦ୍ୟମ ସଫଳ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଜେ-ପଲର ସହ ପ୍ରତିଷ୍ଠାତା ଅଭିଜିତ୍ ବାନାର୍ଜୀ ଓ ଏଷ୍ଥର ଡଫଲୋ ଚଳିତବର୍ଷ ନୋବେଲ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ')}