ବିଏମସି ଓ ଓୟୁଏଟି ମଧ୍ୟରେ ଏମଓୟୁ ସ୍ବାକ୍ଷରିତ, ବିଏମସି ପକ୍ଷରୁ ପ୍ରତିଷ୍ଠା ହେବ ବର୍ଜ୍ୟ ପରିଚାଳନା ପ୍ଲାଣ୍ଟ୍

ଭୁବନେଶ୍ୱର: ବିଏମସି ଓ ଓୟୁଏଟି ମଧ୍ୟରେ ଏମଓୟୁ ସ୍ବାକ୍ଷରିତ । ପ୍ରଥମ ପର୍ଯ୍ୟାୟରେ ୨.୫ ଏକର ଜମି ପାଇଁ ସ୍ବାକ୍ଷରିତ ହୋଇଛି ଏମଓୟୁ । ପରବର୍ତ୍ତୀ ସମୟରେ ଆବଶ୍ୟକ ସ୍ଥଳେ ଅଧିକ ୨.୫ ଏକର ଜମି ଅକ୍ତିଆର କରିବ ବିଏମସି । ଏହି ଜମିରେ ବିଏମସି ପକ୍ଷରୁ ପ୍ରତିଷ୍ଠା ହେବ ବର୍ଜ୍ୟ ପରିଚାଳନା ପ୍ଲାଣ୍ଟ୍ । ଯାହା ଓୟୁଏଟି ଛାତ୍ରଛାତ୍ରୀଙ୍କ ଗବେଷଣା ସମେତ ବିଏମସିର ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ସହାୟକ ହେବ । ଓୟୁଏଟି କ୍ୟାମ୍ପସ ମଧ୍ୟରୁ ବାହାରୁଥିବା ବର୍ଜ୍ୟ ବାହାରକୁ ନପଠାଯାଇ ପ୍ରତିଷ୍ଠା ହେବାକୁ ଥିବା ପ୍ଲାଣ୍ଟରେ ପରିଚାଳନା ହେବ । ବର୍ଜ୍ୟରୁ ଜୈବିକ ସାର ପ୍ରସ୍ତୁତ କରି ଓୟୁଏଟିର ଚାଷ କାର୍ଯ୍ୟରେ ବ୍ୟବହାର କରାଯିବ ।

ଓୟୁଏଟି ପକ୍ଷରୁ ବିଏମସିକୁ ଜମି ଯୋଗାଇ ଦିଆଯାଇଥିବା ବେଳେ ବିଏମସି ମାଗଣାରେ ବର୍ଜ୍ୟ ସଂଗ୍ରହ ଓ ପରିଚାଳନା ସହ ଖତ ପ୍ରସ୍ତୁତ କରିବ। ଏହା ବ୍ୟତୀତ ଓୟୁଏଟି କ୍ୟାମ୍ପସରେ ରାସ୍ତାଘାଟ, ଡ୍ରେନେଜ, ବିଦ୍ୟୁତିକରଣ ଓ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦେବ । ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଓ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ଏମଓୟୁ ସ୍ବାକ୍ଷରିତ ହୋଇଛି । ଏହି ଅବସରରେ ଓୟୁଏଟିର କୁଳସଚିବ ରୁପାମୁଦ୍ରା ମହାନ୍ତି ଓ ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁଙ୍କ ସମେତ ବିଏମସିର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।