ପୁଞ୍ଜିନିବେଶର ପ୍ରକୃଷ୍ଟ କ୍ଷେତ୍ର ହେବ ଓଡ଼ିଶା, ଶିଳ୍ପାୟନରେ ଉତ୍କର୍ଷ ଆଣିବ ୫-ଟି
1 min readଭୁବନେଶ୍ୱର: ଶିଳ୍ପ ଅର୍ଥନୀତିକୁ ଗତିଶୀଳ କରାଏ । ଏଥିସହ ସୃଷ୍ଟି କରିଥାଏ ରୋଜଗାର । ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ସହ ରୋଜଗାର ସୃଷ୍ଟି କରିବା ପାଇଁ ଆୟୋଜିତ ହେବାକୁ ଯାଉଛି ମେକ ଇନ ଓଡ଼ିଶା କନକ୍ଲେଭ । ଏଥିପାଇଁ ମଙ୍ଗଳବାର ଏଫଆଇସିସିଆଇ ସହ ବୁଝାମଣା ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର । ରାଜ୍ୟକୁ ଦେଶ ବିଦେଶରୁ ପୁଞ୍ଜିପତିଙ୍କୁ ନିବେଶ ପାଇଁ ଆକୃଷ୍ଟ କରିବାରେ ସହଯୋଗ କରିବ ଏଫଆଇସିସିଆଇ ।
ଆସନ୍ତା ମେକ ଇନ ଓଡ଼ିଶା କନକ୍ଲେଭ ପାଇଁ FICCI ହେବ ଜାତୀୟ ଅଂଶୀଦାର । ଇପିକଲ ଏମଡି ଏନ.ବି ଜୱାଲେ ଏବଂ ଏଫଆଇସିସିଆଇ ସାଧାରଣ ସମ୍ପାଦକ ଅରୁଣ ଚାୱଲାଙ୍କ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସାମଗ୍ରିକ ଶିଳ୍ପାୟନରେ ୫-ଟି ବ୍ୟାପକ ପରିବର୍ତ୍ତନ ଆଣିଛି । ଏହି ଚୁକ୍ତି ଦ୍ୱାରା ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧିରେ ନୂଆ ଅଧ୍ୟାୟ ସୃଷ୍ଟି ହେବ । ସକରାତ୍ମକ ଶିଳ୍ପନୀତି, ଉନ୍ନତ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ, ସଫଳତା ଦେଉଥିବା ପ୍ରଶାସନିକ ବ୍ୟବସ୍ଥାରେ ରାଜ୍ୟ ସମୃଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସର୍ବୋପରି ଶିଳ୍ପାୟନକୁ ୫-ଟି ପରିସରଭୁକ୍ତ ହୋଇଥିବାରୁ ଏହା ଆଗାମୀ ଦିନରେ ଉତ୍କର୍ଷ ଆଣିବ ବୋଲି ରାଜ୍ୟ ସରକାର ଆଶାବାଦୀ ।
ଅନୁରୂପ ଭାବେ ଓଡ଼ିଶାର ଶିଳ୍ପ ଅନୁକୂଳ ପରିବେଶକୁ ପ୍ରଶଂସା କରିଛି FICCI । କୋଭିଡ ସମୟରେ ମଧ୍ୟ ପୁଞ୍ଜି ନିବେଶ ପାଇଁ ଆକୃଷ୍ଟ ହୋଇଛନ୍ତି ପୁଞ୍ଜିପତି । ଗତ ଫେବ୍ରୁଆରୀରୁ ଅକ୍ଟୋବର ମଧ୍ୟରେ ୨୪ ହଜାର ୩ଶହ କୋଟିର ପୁଞ୍ଜିନିବେଶ ହୋଇସାରିଛି । ଶିଳ୍ପପତିଙ୍କ ପାଇଁ ପ୍ରସ୍ତୁତ ହୋଇଛି ସିଙ୍ଗଲ ଓ୍ୱଣ୍ଡୋ ବ୍ୟବସ୍ଥା ବୋଲି କହିଛି ଫିକ୍କି । ପୂର୍ବରୁ ପ୍ରଥମ ଓ ଦ୍ୱିତୀୟ ମେକ୍ ଇନ ଓଡ଼ିଶା କନକ୍ଲେଭରୁ ରାଜ୍ୟକୁ ବ୍ୟାପକ ସଫଳତା ମିଳିଥିଲା । ଯେଉଁଥିରେ ୬ ଲକ୍ଷ କୋଟିର ପୁଞ୍ଜିନିବେଶ ହୋଇଛି ।