ବିଶ୍ୱ ମାତୃ ଦିବସ ଅବସରରେ ସବୁ ମା’ମାନଙ୍କୁ କୋଟି କୋଟି ପ୍ରଣାମ

1 min read

ନନ୍ଦିଘୋଷ ବ୍ୟୁରୋ: ଆଜି ମାତୃ ଦିବସ । ସାରା ବିଶ୍ୱ ପାଳୁଛି ମାତୃ ଦିବସ । ମାଆ ସେ ସର୍ବଂସାହା । ସେ ଜନନୀ, ସେ ଜଗଧାତ୍ରୀ । ମାଆଠୁ ବଳି ଦୁନିଆରେ କିଛି ବି ନାହିଁ । ସେଥିପାଇଁ କୁହାଯାଏ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପୀ ଗରିୟସୀ । ମା’ ପଣତରେ ଥରେ ପୋଛିହୋଇଗଲେ ସବୁ ଦୁଃଖ ପାଶୋରି ହୋଇଯାଏ । ତାର ଲାଳନ ପାଳନରେ ଥାଏ ଅନାବିଳ ସ୍ନେହ । ସେ ଅତୁଳନୀୟ । ‘ମାଆ’ ଶବ୍ଦରେ ବାଖ୍ୟା କରିବା ଅସମ୍ଭବ । ମାଆ ଶବ୍ଦରେ ଅଛି ସଂସାରର ସବୁ ସୁଖ ଆଉ ଶାନ୍ତି । ସଂସାରର ଯେତେ ଶ୍ରଦ୍ଧା- ମା’ଠୁ ଆରମ୍ଭ, ମା’ରେ ଶେଷ ।

ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ବି ମାଆ ଆଗରେ ସବୁ ତୁଚ୍ଛ ହେଇଯାଏ। ମାଆ ର ପ୍ରାର୍ଥନାରେ ଏତେ ଶକ୍ତି ଯେ ତାର ସନ୍ତାନ ନିକଟରେ ମୃତ୍ୟୁ ବି ଆସିବାକୁ ଭୟ କରେ । ଏହି ଦୁଇ ଅକ୍ଷରରୁ ହିଁ ଜୀବନର ଆରମ୍ଭ । ମାଆ ଥିଲେ ସଂସାରରେ ସବୁକିଛି ଥିଲା ପରି ଲାଗେ । କୁହାଯାଏ ଦୁନିଆରେ ସଭିଙ୍କ ଋଣ ସୁଝି ହେବ । କିନ୍ତୁ ମାଆର ଋଣ ମରିବା ଯାଏ କେବେ କେହି ଶୁଝି ପାରିବେ ନାହିଁ। ସେ ସ୍ନେହମୟୀ, କରୁଣାମୟୀ ଓ ଦୟାମୟୀ ମା’କୁ ପୃଥିବୀ ସହିତ ବି ତୁଳନା କରାଯାଇଥାଏ ।

ମାଟି, ମଞ୍ଜି ଓ ଗୋବର ଖତରେ ଟାଙ୍ଗରା ଜମିକୁ ଯେଉଁଭଳି ସବୁଜିମା କରିବାର ଶକ୍ତି ରଖିଥାଏ ସେହିପରି ମାଆର ପଣତକାନି ସନ୍ତାନ ପାଇଁ ସୁରକ୍ଷିତ ଏବଂ ନିରାପଦ ରଖିଥାଏ । ଯାହାର ସ୍ନେହ ଆଉ ପ୍ରେମରେ ନଥାଏ କିଛି ସ୍ୱାର୍ଥ ଆଉ କାମନା । ଯିଏ ନିଃସ୍ୱାର୍ଥପରଭାବେ ସନ୍ତାନମାନଙ୍କ ପ୍ରତି ଅଜାଡ଼ି ଦେଇପାରେ ଅଜସ୍ର ଭଲ ପାଇବା ସେ ହେଉଛି ମାଆ । ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରରେ ବିଶ୍ୱ ମାତୃ ଦିବସ ପାଳନ କରାଯାଇଥାଏ ।

ପ୍ରଥମେ ଆମେରିକାରେ ମା’କୁ ସମ୍ମାନ ଦେବା ଲାଗି ଉଦ୍ଦିଷ୍ଟ ଥିବା ଏହି ଦିନଟି ଆରମ୍ଭ ହୋଇଥିଲା । ଆମେରିକାର ଆକ୍ଟିଭିଷ୍ଟ ଏନା ଜାର୍ବିସ ନିଜ ମା’ଙ୍କୁ ଖୁବ୍ ଭଲ ପାଉଥିଲେ। ଏଥିଲାଗି ସେ କେବେ ବିବାହ ମଧ୍ୟ କରିନଥିଲେ। କାରଣ ବିବାହ କଲେ ମାଆ ଙ୍କୁ ଛାଡି ଶାଶୁ ଘରେ ରହିବାକୁ ପାଇଁ ପଡ଼ିଥାନ୍ତା। ଏନା ଙ୍କ ମାଆଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତିରେ ସେ ଏହି ଦିନକୁ ‘ମଦର୍ସ ଡେ’ ଭାବେ ପାଳନ କରିବା ଆରମ୍ଭ କଲେ। ମାଆ ଓ ମାତୃତ୍ୱକୁ ସମ୍ମାନ ଦେଇ ବିଶ୍ୱର ପ୍ରାୟ ୪୦ରୁ ଅଧିକ ଦେଶରେ ପାଳିତ ହେଉଛି ମାତୃ ଦିବସ ।