ବିଜେପିର ନୀତି ପାଇଁ ମା’ମାନେ କାନ୍ଦୁଛନ୍ତି: କାର୍ତ୍ତିକ ପାଣ୍ଡିଆନ

1 min read

ଭୁବନେଶ୍ୱର: ୯ଟି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ବିଜେପିର ୯ ସେଲ୍ଫ ଗୋଲ କଥା କହି ସମାଲୋଚନା ମଧ୍ୟ କରିଛନ୍ତି।

ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀମନ୍ଦିରକୁ ରାଜନୀତିକୁ ଟାଣିବାକୁ ପସନ୍ଦ କରୁନାହାନ୍ତି ଓଡ଼ିଶା ବାସୀ। ବାହାରୁ ନେତା, କେନ୍ଦ୍ରମନ୍ତ୍ରୀ ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷାରେ ଅସମ୍ମାନ କରି ଗାଳି ଗୁଲଜ କରୁଛନ୍ତି। ଯାହାକୁ ଓଡ଼ିଶା ବାସୀ ପସନ୍ଦ କରୁନାହାନ୍ତି।

ଖାଲି ଏତିକି ନୁହେଁ ମିଶନ ଶକ୍ତିକୁ ବନ୍ଦ କରିବାକୁ ବିଜେପି ଇସ୍ତାହାର ଘୋଷଣା କରିଛି। ବିଜେପି ସରକାରକୁ ଆସିଲେ ମିଶନ ଶକ୍ତି ବନ୍ଦ କରିବେ।

BSKY ବନ୍ଦ କରି ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ବିଜେପି ଇସ୍ତାହାର ଘୋଷଣା କରିଛି। ଆୟୁଷ୍ମାନ ଭାରତ କେବଳ ବିପିଏଲ ପରିବାର ପାଇଁ । କିନ୍ତୁ BSKY ଯୋଜନା ସମସ୍ତଙ୍କ ପାଇଁ। ରାଜ୍ୟର ୯୦ ପ୍ରତିଶତ ଲୋକ ସୁବିଧା ପାଉଛନ୍ତି। ଆଗକୁ BSKY ନବୀନ କାର୍ଡରେ ସମସ୍ତଙ୍କୁ ସାମିଲ କରାଯିବ।

ଯୁବ କ୍ଷେତ୍ରକୁ ଗୁରୁତ୍ଵ ଦେଇ ନବୀନ ସରକାର 5T ସ୍କୁଲ, 5T କଲେଜ, ଯୁବ ବଜେଟ ବ୍ୟବସ୍ଥା କରିଛନ୍ତି। ୯୮ ପ୍ରତିଶତ ପିଲାଙ୍କ ପାଇଁ ନୂଆ ଓ ଛାତ୍ର ବୃତ୍ତି ଯୋଜନା ଆରମ୍ଭ ହୋଇଛି। ଯୁବକଙ୍କ ପାଇଁ ବିଜେପି ଇସ୍ତାହାରରେ କିଛି ନାହିଁ। ଆଦିବାସୀଙ୍କ ପରିଚୟ, ପରମ୍ପରା ଓ ସଂସ୍କୃତିର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ SDC ଗଠନ କରିଛନ୍ତି। ଡବଲ ଇଞ୍ଜିନ ଚାଲିଥିବା ରାଜ୍ୟରେ ଅଧିକ ଆଦିବାସୀ ଥାଇ ବି SDC ଗଠନ କରାଯାଇ ନାହିଁ। ବିଜେପି ସରକାରକୁ ଆସିଲେ SDCକୁ ବନ୍ଦ କରିଦେବ। ଡବଲ ଇଞ୍ଜିନ ସରକାର ଥିବା ରାଜ୍ୟରେ ଶାନ୍ତି ନାହିଁ। ଓଡ଼ିଶାରେ ଶାନ୍ତି ଅଛି। ଓଡ଼ିଶାରେ ଦାଦାବଟି ନାହିଁ। କିନ୍ତୁ ବିଜେଡିରୁ ବିଦା ହୋଇଥିବା ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଅନେକ ବ୍ୟକ୍ତିଙ୍କୁ ବିଜେପି ସାମିଲ କରିଛି।

ତେବେ ବିଜେଡିର ମାଗଣା ବିଦ୍ୟୁତ୍ ଘୋଷଣା ପରେ ବିଜେପିକୁ କରେଣ୍ଟ ଲାଗିଛି । ବିଜେପି ସୋଲାର ବ୍ୟବସ୍ଥାରେ ବିଦ୍ୟୁତ୍ ଯୋଗାଇବା କଥା କହୁଛି। ରନ୍ଧନ ଗ୍ୟାସ ମାଗଣାରେ ଯୋଗାଇବା କଥା କହି ବାରମ୍ବାର ଦର ବଢ଼ାଇ ଚାଲିଛି। ରନ୍ଧନ ଗ୍ୟାସ ପରି ବିଜେପିର ସୋଲାର ବିଦ୍ୟୁତ୍ ଘୋଷଣା ଏକ ବଡ଼ ଜୁମଲା ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି। ଚାଷୀଙ୍କ ପାଇଁ ୩୧ ଶହ ଟଙ୍କା MSP ବଡ଼ ଜୁମଲା। ୧୦ ବର୍ଷ ଧରି ଚାଷୀଙ୍କ କଥା ଚିନ୍ତା କରିନଥିଲା ବିଜେପି। ଏବେ ନିର୍ବାଚନ ପାଇଁ ଚାଷୀଙ୍କ କଥା ମନେ ପଡୁଛି।

ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଭାଉଚର ମହିଳାଙ୍କୁ ଦେବାକୁ ବିଜେପିର ଘୋଷଣା ମଧ୍ୟ ଏକ ଜୁମଲା। ଯଦି ୫୦ ହଜାର ଟଙ୍କା ଦିଆଯାଏ, ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ଏ ଅର୍ଥ ଆସିବ କେଉଁଠୁ ବୋଲି କାର୍ତ୍ତିକ ପାଣ୍ଡିଆନ ପ୍ରଶ୍ନ କରିଛନ୍ତି। ୧୫ ଲକ୍ଷ ଆକାଉଣ୍ଟକୁ ଟଙ୍କା ଦେବା ପାଇଁ ଘୋଷଣା କରିବା ବିଜେପିର ଆଉ ଏକ ଜୁମଲା।