spot_img

Latest Posts

କରୋନା ଯୁଦ୍ଧର ଲଢ଼ୁଆ ଯୋଦ୍ଧା: ଅଜଣା ରୋଗରେ ନିଜ ଛୁଆଙ୍କୁ ହରାଇଥିବା ମା’ ଏବେ କରୋନା ରୋଗ ନେଇ କରୁଛନ୍ତି ସଚେତନ

ବ୍ରହ୍ମପୁର/ଜୟପୁର: କରୋନା ଯୁଦ୍ଧର ଲଢୁଆ ଯୋଦ୍ଧା। ଗଞ୍ଜାମ ଜିଲ୍ଲାର ରମା ସାହୁ ଓ କୋରାପୁଟର ଧନମତି ଗାଦ୍‌ବା। ଗତକାଲି ରାଜ୍ୟ ସରକାର ଏହି ୨ ଅଙ୍ଗନୱାଡି କର୍ମୀଙ୍କୁ ଖୁବ୍‌ ପ୍ରଶଂସା କରିଥିଲେ। ସଂକ୍ରମଣକୁ ନେଇ ସାରା ସଂସାର ଆତଙ୍କିତ। ଏଭଳି ସମୟରେ ସଂକ୍ରମଣ ସହ ଲଢି ଲୋକଙ୍କୁ ସଚେତନ କରୁଛନ୍ତି ଏହି ଦୁଇ ଦିଦି। ସରକାରଙ୍କ ସାବାସି ପରେ ଗ୍ରାଉଣ୍ଡ ଜିରୋକୁ ଯାଇ ରମା ସାହୁଙ୍କୁ ଭେଟିଥିଲା ନନ୍ଦିଘୋଷ ଟିଭି।

ଯିଏ ମୃତ୍ୟୁ ସହ ଲଢି ସାରିଛି। ଯାହା ଜୀବନ ପ୍ରତି ମିନିଟ୍‌ରେ ମୃତ୍ୟୁକୁ ଅନୁଭବ କରୁଛି। ସିଏ କାହିଁକି ଏ ବିଦେଶୀ ଭୂତାଣୁକୁ ଡରିବ। ସେମିତି ଏକ ବାସ୍ତବ ଚରିତ୍ର ହେଲେ ରମା ସାହୁ। ନବୀନଙ୍କ ପଦାତିକ ବାହିନୀର ଅଙ୍ଗନୱାଡି କମାଣ୍ଡର ରମା ସାହୁ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଳକ୍‌ ଖଣ୍ଡରା ଗାଁରେ ଏ ମଧ୍ୟବୟସ୍କା ଅଙ୍ଗନୱାଡି ଦିଦି ସାଜିଛନ୍ତି ଆଶାର ଆଲୋକ। ସଂକ୍ରମଣକୁ ଖାତିର୍‌ ନାହିଁ। ଖରାତରାକୁ ଡର ନାହିଁ। ସଚେତନତାର ସୂତ୍ରଧର ସାଜିଛନ୍ତି ରମା।

ଦିନେ ରମାଙ୍କୁ ଡରାଇଥିଲା ମାରାତ୍ମକ କ୍ୟାନ୍‌ସର। ହେଲେ ଅଜଗରର ଆଲିଙ୍ଗନରୁ ମୁକୁଳିବାକୁ ନିଜେ ଖୋଜିଥିଲେ ବାଟ। ହାରିଲା କ୍ୟାନ୍‌ସର, ଜିତିଲା ମନୋବଳ। ହେଲେ ଦୁଃଖ ଯେମିତି ହାତ ଧରାଧରି ହୋଇ ଆସୁଥିଲେ। ରମାଙ୍କ କୋଳରୁ ଦୁଇଦୁଇଟି ସନ୍ତାନଙ୍କୁ ଛଡ଼ାଇ ନେଇଥିଲା ଅଜଣା ରୋଗ। ହାରିବା ହରାଇବାର ଏ ସ୍ରୋତରେ ରମା ଆହୁରି ଶକ୍ତ ହୋଇଛନ୍ତି। ସମୟର ଆହ୍ଵାନକୁ ଗ୍ରହଣ କରି ନିଜ ଜୀବନକୁ ସମର୍ପି ଦେଇଛନ୍ତି ଅନ୍ୟର ସେବାରେ। ଆଉ ଏବେ ଖଣ୍ଡରା ଗାଁରେ ସାଜିଛନ୍ତି କରୋନା ଯୋଦ୍ଧା। ପୂର୍ବରୁ ନିଜ ନିସ୍ୱାର୍ଥପର ସେବା ପାଇଁ ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ଭାବେ ସମ୍ମାନିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏ ସାବାସି ସାରା ଗାଁକୁ କରିଛି ଉତ୍ସାହିତ।

କରୋନା ସହ ଲମ୍ବା ଲଢ଼େଇ ପାଇଁ ସରକାର ପ୍ରସ୍ତୁତ କରିଛନ୍ତି ରଣନୀତି। କିଏ ସେନାପତି ସାଜିଛି ପୁଣି କିଏ ସିପାହୀ। ହେଲେ ଥରେ ଯଦି ଆପଣ ରମାଙ୍କ ଆତ୍ମବିଶ୍ୱାସକୁ ଖୁବ୍‌ ନିକଟରୁ ଦେଖିବେ, ଆପଣ ଅନୁମାନ କରି ପାରିବେ, ଏଠି ବିଜୟ ସୁନିଶ୍ଚିତ। କାରଣ କରୋନା ଯ଼ୁଦ୍ଧରେ ରମାଙ୍କ ଭଳି ହଜାର ହଜାର ଅଙ୍ଗନୱାଡ଼ି ଦିଦିଙ୍କ ହାତରେ ଏବେ ସଚେତନତାର କମାଣ।

Latest Posts

Don't Miss