ଯାଆଁଳା ଶିଶୁଙ୍କ ହତ୍ୟା ଘଟଣାରେ ବଡ ଖୁଲାସା, ଦୁଇ ଛୁଆଙ୍କୁ ହତ୍ୟା କରିଥିବା ସ୍ବୀକର କଲା ମା’

ଅନୁଗୁଳ: ମା ସାଜିଲା ପିଶାଚ । ଅନୁଗୁଳ ଜିଲ୍ଲା ମୁଣ୍ଡାଢ଼ିପ ଗାଁରେ ଦୁଇ ଯାଆଁଳା ଶିଶୁଙ୍କୁ କୂଅରେ ପକାଇ ହତ୍ୟା ଘଟଣା । ଶିଶୁ ଦୁଇଙ୍କ ମା ତପସ୍ୱିନୀ ସାହୁକୁ ଥାନାକୁ ଉଠେଇ ନେଲା ବନ୍ତଳା ପୋଲିସ । ମା ନିଜେ ଶିଶୁ ଦୁଇଟିକୁ କୂଅରେ ପକାଇ ଦେଇଥିବା ପରିବାର ଲୋକଙ୍କ ଆଗରେ ମାନିଲା ପରେ ତପସ୍ବିନୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । କେଉଁ ପରିସ୍ଥିତିରେ ଓ କାହିଁକି ନିଜ ଛୁଆଙ୍କୁ ହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ ।

ପରିବାର ଲୋକେ ମାଆକୁ ଫାଶୀଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି । ୩ ମାସର କଅଁଳା ପିଲାଙ୍କୁ କୂଅରେ ପକାଇ ଗତକାଲି କିଏ ହତ୍ୟା କଲା ବୋଲି ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଗତକାଲି ଅପରାହ୍ନରେ କୂଅରୁ ମିଳିଥିଲା ଭାଇଭଉଣୀଙ୍କ ମୃତଦେହ । ମୃତକ ସୁନୀଲ ସାହୁଙ୍କ ପୁଅ ସାଇ ଓ ଝିଅ ଶ୍ରଦ୍ଧା । ମାଆ ତପସ୍ବିନୀ ସାହୁ ଉଭୟ ଛୁଆଙ୍କୁ ଘରେ ଛାଡ଼ି କ୍ଷୀର ଆଣିବାକୁ ଯାଇଥିଲେ ବୋଲି କୁହାଯାଉଥିଲା ।

ପରେ କୂଅରେ ଉଭୟ ଶିଶୁ ଭାସୁଥିବା ଦେଖିବାକୁ ମିଳିଥିଲା । କୂଅରୁ ଉଦ୍ଧାର କରି ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।