ପୁଅର ସ୍ବପ୍ନ ସାକାର କରିବା ପାଇଁ ମାଆର ସଂଘର୍ଷ

ସୁବର୍ଣ୍ଣପୁର: ହ୍ବିଲ ଚେୟାରରେ ବସି ସୁନ୍ଦର ଭବିଷ୍ୟତ ଗଢିବାର ଇଚ୍ଛା । ଶାରୀରିକ ଅକ୍ଷମତାକୁ ମାତ ଦେଇ ପାଠ ପଢିବାର ଝୁଙ୍କ। କିଏ ବ୍ରେନ ଷ୍ଟ୍ରୋକର ଶିକାର ହୋଇଛି ତ କାହାର ଶରୀର ଅଧା ଅଚଳ। ତଥାପି ପାଠ ପଢା ଜାରି ରହିଛି । ଠିକରେ ଚଲାବୁଲା କରିପାରୁନଥିବା ମହାକାଳପଡା ଏବଂ ସୁବର୍ଣ୍ଣପୁର ଡୁଙ୍ଗୁରିପାଲିର ଦୁଇ ଶିକ୍ଷାର୍ଥୀଙ୍କୁ ବ୍ୟାଟେରି ଚାଳିତ ହ୍ବିଲ ଚେୟାର ଯୋଗାଇଦେବାକୁ ପରିବାର ଲୋକଙ୍କ ଅନୁରୋଧ ।

ପୁଅର ଶିକ୍ଷା ପାଇଁ ମାଆର ସଂଘର୍ଷ । ଦାରିଦ୍ର୍ୟ ସତ୍ତ୍ଵେ ପୁଅକୁ ଭଲ ମଣିଷ କରିବାର ଜିଦ୍। ସ୍ଵପ୍ନ ଆଗରେ ତୁଚ୍ଛ ଲାଗୁଛି ସମସ୍ୟା । ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ବ୍ଲକ ଚିଦାନନ୍ଦପଡ଼ାର ସୁଶୀଲ ବାଗ ଜନ୍ମରୁ ସେ ଦିବ୍ୟାଙ୍ଗ । ଦୁଇ ଗୋଡରେ ଚାଲି ପାରୁଛନ୍ତି ନା ଠିକରେ ଖାଇ ପାରୁଛନ୍ତି । ପ୍ରଥମ ଶ୍ରେଣୀରୁ କଲେଜ ପର୍ଯ୍ୟନ୍ତ ମା ପୁଅକୁ ହୁଇଲ ଚେୟାରରେ ନେବା ଆଣିବା କଲେ । ସ୍ଵାମୀ କବି ବାଗ ମାନସିକ ରୋଗରେ ଆକ୍ରାନ୍ତ । ସରକାରଙ୍କଠାରୁ ପାଉଥିବା ଚାଉଳ ଓ ଭତ୍ତା ଟଙ୍କାରେ ଚଳୁଛନ୍ତି ୩ ପ୍ରାଣୀ କୁଟୁମ୍ବ। ତଥାପି ଯେତେ କଷ୍ଟ ହେଉନା କାହିଁକି ପୁଅ ଭଲ ପଢ଼ି ଭଲ ମଣିଷ ଟିଏ ହେବ ବୋଲି ମାଆର ଇଚ୍ଛା । ପୁଅକୁ ସରକାରଙ୍କ ତରଫରୁ ଏକ ବ୍ୟାଟେରୀ ଚାଳିତ ଗାଡ଼ି ଯୋଗାଇ ଦିଆଗଲେ ଉପକୃତ ହୋଇପାରନ୍ତେ ବୋଲି ମାଆ କହିଛନ୍ତି ।

କେନ୍ଦ୍ରାପଡା ମହାକାଳପଡା ରାମଚନ୍ଦ୍ରପୁର ଗାଁର ମିତାଲି ଖଟୁଆ । ମସ୍ତିଷ୍କାଘାତ ବା ବ୍ରେନ୍ ଷ୍ଟୋକର ଶିକାର ହୋଇଥିଲେ। ମିତାଲିର ବାମପଟ ଗୋଡ ହାତ ଠିକ୍ ଭାବରେ କାମ କରୁନଥିଲା। ଯେଉଁଥିପାଇଁ ମିତାଲି ପୂର୍ବଭଳି  ସ୍ବାଭାବିକ ଭାବରେ ଚଳପ୍ରଚଳ କରି ପାରିଲେନାହିଁ। କଷ୍ଟେମଷ୍ଟେ ୧୦ମ ବୋର୍ଡ ପରୀକ୍ଷା ଦେଇଥିଲେ । ଏବେ ସେ ଯୁକ୍ତ ଦୁଇ କଳାର ଶିକ୍ଷାର୍ଥୀ । ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋଟିଏ ବ୍ୟାଟେରୀ ଚାଳିତ ତିନି ଚକିଆ ସାଇକେଲ ଯୋଗାଇ ଦିଆଗଲେ କଲେଜ ଯିବା ଆସିବା ପାଇଁ ମିତାଲିକୁ ସୁବିଧା ହୋଇ ପାରନ୍ତା ବୋଲି କହିଛନ୍ତି।