ହସ୍ପିଟାଲ ପହଞ୍ଚାଇଥିବା କନେଷ୍ଟବଳଙ୍କ ନାଁରେ ନବଜାତ ଶିଶୁର ନାଁ ରଖିଲେ ମହିଳା

1 min read

ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ମହିଳା ନିଜ ନବଜାତ ସନ୍ତାନର ନାଁ, ଜଣେ କନେଷ୍ଟବଳଙ୍କ ନାଁରେ ନାମିତ କଲେ । କାରଣ ଏହି କନେଷ୍ଟବଳ ଜଣକ ମହିଳାଙ୍କୁ ବିପଦ ସମୟରେ ସାହାଯ୍ୟର ହାତ ବଢ଼ାଇଥିଲେ । ଏହି ଘଟଣାରେ କନେଷ୍ଟବଳ ଜଣକ ନିଜର ଖୁସି ବ୍ୟକ୍ତ ମଧ୍ୟ କରିଛନ୍ତି । ସେ କହିଛନ୍ତି, ଜଣେ ମହିଳା ତାଙ୍କ ଦ୍ୱାରା ଉପକୃତ ହୋଇଥିବାରୁ ସେ ଅତ୍ୟନ୍ତ ଖୁସି । ଉକ୍ତ କନେଷ୍ଟବଳ ଜଣକ ହେଉଛନ୍ତି ଦୟାବୀର୍‌ ସିଂହ‌ । ଉକ୍ତ ମହିଳାଙ୍କୁ ସଠିକ୍‌ ସମୟରେ ମେଡିକାଲରେ ପହଞ୍ଚାଇବା ପାଇଁ କନେଷ୍ଟବଳ ଦୟାବୀର୍‌ ସାହାଯ୍ୟ କରୀଥିଲେ । ତାଙ୍କର ଏହି ଉପକାର ପାଇଁ ମହିଳା ଜଣକ ନିଜ ନବଜାତ ଶିଶୁର ନାଁ ଦୟାବୀର ରଖିଛନ୍ତି । ଏହି ଘଟଣାଟି ଉତ୍ତର ପଶ୍ଚିମ ଦିଲ୍ଲୀର ଆଶୋକ ବିହାର ଅଞ୍ଚଳର ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ୨୮ ବର୍ଷୀୟ ଅନୁପାଙ୍କୁ ୨୩ ତାରିଖ ସକାଳେ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ତେଣୁ ପରିବାର ଲୋକ ଆମ୍ବୁଲାନ୍ସକୁ କଲ୍‌ କରିଥିଲେ । ହେଲେ ବାରମ୍ବାର କଲ୍‌ କରିବା ସତ୍ତ୍ୱେ ଆମ୍ବୁଲାନ୍ସ ସେବା ଅନୁପାଙ୍କ ପାଖରେ ପହଞ୍ଚିପାରି ନଥିଲା । ଫଳରେ ପଡ଼ିଶା ଘରେ ରହୁଥିବା ଜଣେ ବ୍ୟକ୍ତି ଏସ୍‌ଏଚ୍‌ଓ ଆରତୀ ଶର୍ମା ଓ କନେଷ୍ଟବଳ ଦୟାବୀରଙ୍କୁ ଫୋନ୍‌ କରି ସହାଯ୍ୟ ମାଗିଥିଲେ । ଖବର ପାଇଁ ଦୟାବୀର ତୁରନ୍ତ ଗାଡ଼ି ଧରି ଅନୁପାଙ୍କ ନିକଟରେ ପହଞ୍ଚିଥିଲେ ।  ଆଉ ସେଠାରୁ ଅନୁପାଙ୍କୁ ନେଇ ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ ।

ଦୟାବୀରଙ୍କ କହିବାନୁଯାୟୀ, ଯେଉଁ ଲୋକମାନେ ଫୋନ୍‌ କରି ସାହାଯ୍ୟ ମାଗିଥିଲେ ସେହିମାନେ ହିଁ ତାଙ୍କୁ ପୁଣି ଫୋନ୍‌ କରି ଜଣାଇଲେ ଯେ, ଅନୁପା ତାଙ୍କ ସନ୍ତାନର ନାଁ ଦୟାବୀର ରଖିଛନ୍ତି । ଅନ୍ୟପଟେ ଅନୁପାଙ୍କ ଶାଶୁଙ୍କ କହିବାନୁଯାୟୀ ଦୟାବୀର ଯଦି ଠିକ୍‌ ସମୟରେ ପହଞ୍ଚି ନଥାନ୍ତେ, ତେବେ ଉଭୟ ମା’ ଏବଂ ଶିଶୁଙ୍କ ଜୀବନ ପ୍ରତି ବିପଦ ଥିଲା । ତେଣୁ ନବଜାତ ଶିଶୁର ନାଁ ଦୟାବୀର ରଖାଯାଇଛି ।

Leave a Reply