ଅତୁଟ ସମ୍ପର୍କରେ ରକ୍ତର ଛିଟା, ସମ୍ପତି ପାଇଁ ମାଆକୁ ମାରିଲା ପୁଅ !

ଯାଜପୁର: ପରିବାର ଭିତରେ ମାଆ ପୁଅଙ୍କ କଳହର କରୁଣ ପରିଣତି । ଗର୍ଭ ଯନ୍ତ୍ରଣା ସହି ପୁଅକୁ ଜନ୍ମ ଦେଇଥିଲା ମାଆ । କିନ୍ତୁ ମାର ଯନ୍ତ୍ରଣାକୁ ବୁଝି ପାରିଲାନି ପୁଅ । ସମ୍ପତି ପାଇଁ ସମ୍ପର୍କରେ ପଡ଼ିଲା ରକ୍ତ ଛିଟା । ମାଆ ସିନା ପୁଅକୁ ଏଡ଼ିଟିଏରୁ ଏଡ଼େଟିଏ କରିଥିଲା । ହେଲେ ମୁଣ୍ଡକୁ ହାତ ପାଇବା ପରେ ମନରେ ରେ ବସା ବାନ୍ଧଥିଲା ସମ୍ପତିର ଲୋଭ । ଯାହାପାଇଁ ଲୋଭ ଆଗରେ ଛୋଟ ହେବାକୁ ଲାଗିଥିଲା  ମାଆର ପଣତ ।

ଆଉ ଶେଷରେ ପୁଅ ହାତର ଶିକାର ହୋଇଥିଲା ମାଆ । ସମ୍ପତି ଲୋଭରେ ମାକୁ ମାରି ଦେଇଛି ପୁଅ । ଏଭଳି ଅଭିଯୋଗ କରିଛନ୍ତି ଝିଅ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଯାଜପୁରର ପାଣିକୋଇଲି ଥାନା ରଙ୍ଗରଙ୍ଗା ଗାଁରେ । ମୃତ ମହିଳାଙ୍କ ନାମ ହେଉଛି ମତ ଲବଙ୍ଗ । ତେବେ ପୋଲିସ ଅଭିଯୁକ୍ତ ପୁଅକୁ ଅଟକ ରଖି ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ସମ୍ପତିକୁ ନେଇ ମାଆ ଏବଂ ପୁଅଙ୍କ ମଧ୍ୟରେ ଅନେକ ବାର କଳହ ଲାଗି ରହୁଥିଲା । ପୁଅ ଅନେକ ସୟମରେ ମାଆକୁ ମାରଧୋର କରେ ବୋଲି ଥାନାରେ ଅଭିଯୋଗ କରିଛନ୍ତି ଝିଅ । ଯୋଜନାବଦ୍ଧ ଭାବେ ମାଆଙ୍କୁ ହତ୍ୟା କରାଯାଇଥିବା ଝିଅ ଅଭିଯୋଗ କରିଛନ୍ତି ।  ଅନେକ ଥର ଥାନାରେ ଆପୋଷ ବୁଝାମଣା ବି ହୋଇଥିଲା ।

ଗତକାଲି ସକାଳେ ମତ ଲବଙ୍ଗଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ପୋଲିସର ତଦନ୍ତ ପରେ ମାଆଙ୍କୁ ଠେଲି ଦେବାରୁ ମୁଣ୍ଡରେ ଆଘାତ ଲାଗି ତାଙ୍କର ମୃତ୍ୟୁ ହୋଇଥିବା ପୁଅ ସଫେଇ ଦେଇଛି ।

Leave a Reply