ସମ୍ପତ୍ତି ପାଇଁ ଝିଅଙ୍କ ମଧ୍ୟରେ ଲଢ଼େଇ, ଜୁଲରେ ୯ ଘଣ୍ଟା ରହିଲା ମା’ର ଶବ

ଲକ୍ଷ୍ନୌ: କୁହାଯାଏ ଏହି କଳିଯୁଗରେ କେହି ନୁହେଁ କାହାର । ସମ୍ପତ୍ତି ଆଗରେ ସବୁ ସମ୍ପର୍କ ତୁଚ୍ଛ ହୋଇଯାଏ । ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମଥୁରାରେ । ସମ୍ପତ୍ତି ପାଇଁ ତିନି ଝିଅଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ତୁମୁଳ କାଣ୍ଡ । ମଶାଣୀରେ ମା’ର ଶବ ପଡ଼ି ରହିଥିବାବେଳେ ତିନି ଝିଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଜୁଇ ଉପରେ ଦୀର୍ଘ ୯ ଘଣ୍ଟା ଧରି ପଡ଼ି ରହିଥିଲା ମୃତଦେହ । ଯାହାକୁ ନେଇ ଝିଅମାନଙ୍କୁ ସମାଲୋଚନା କରିଛନ୍ତି ଲୋକେ । ପୁଷ୍ପା ନାମକ ୮୫ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା । ଶବଦାହ ପାଇଁ ମଶାଣୀ ନିଆଯାଇଥିବାବେଳେ ଝିଅଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ଭାଗ ଛିଡ଼ି ନଥିଲା । ଦୀର୍ଘ ସମୟ ଧରି ଝଗଡ଼ା ଲାଗିଥିବାବେଳେ ଅନ୍ତିମ ସଂସ୍କାର କରିବା ପାଇଁ ଆସିଥିବା ପଣ୍ଡିତ ଶେଷରେ ବିରକ୍ତ ହୋଇ ଫେରିଯାଇଥିଲେ । ସମ୍ପର୍କୀୟମାନେ ମଧ୍ୟ ବିରକ୍ତ ହୋଇଯାଇଥିଲେ । ଶେଷରେ ସମାଧାନ ହେବା ପରେ ଶବ ସଂସ୍କାର କରାଯାଇଥିଲା । ପୁଷ୍ପାଙ୍କ ତିନି ଝିଅ ରହିଥିବାବେଳେ କୌଣସି ପୁଅ ନାହାନ୍ତି । ବଡ଼ ଝିଅ ଏକ ଜମିକୁ ବିକି ଦେଇଥିବାବେଳେ ବାକି ଜମିକୁ ଦୁଇ ଝିଅଙ୍କୁ ଦେବା ପାଇଁ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ସମ୍ପର୍କୀୟମାନେ ଏହି ଘଟଣାର ସମାଧାନ କରିବା ପରେ ଅନ୍ତିମ ସଂସ୍କାର ହୋଇଥିଲା । ଝିଅଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଉଛି ।