ପୁଅ ଟାଙ୍ଗିଆ ଚୋଟରେ ବାପାମାଆ ମୃତ

ଚମ୍ପୁଆ: କେନ୍ଦୁଝର ଚମ୍ପୁଆ ବ୍ଲକ ବସିରା ଗାଁରେ ଅଘଟଣ । ବାପା ମାଆଙ୍କୁ ହାଣିଲା ପୁଅ । ପୁଅର ଟାଙ୍ଗିଆ ଚୋଟରେ ଉଭୟ ବାପା, ମାଆଙ୍କ ମୃତ୍ୟୁ । ହତ୍ୟାକାରୀ ପୁଅ ଧ୍ୟାନ ମୁଣ୍ଡାକୁ ଗିରଫ କରିଛି ପୋଲିସ ।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮ଟା ଧ୍ୟାନଙ୍କ ବାପା ଗୋରା ମୁଣ୍ଡା ଘର ଆଗରେ କାଠ କାଟୁଥିବା ବେଳେ ଏହାକୁ ନେଇ ବାପପୁଅଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଧ୍ୟାନ ଉକ୍ତ କାଠ କଟା ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ଗୋରାଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ଧ୍ୟାନ ମାଆଙ୍କୁ ବି ଆକ୍ରମଣ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପରବର୍ତ୍ତି ସମୟରେ କେନ୍ଦୁଝରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଖବର ପାଇ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।