ପୁଅର ସବୁ ସ୍ୱପ୍ନ ପୁରା ହେଲା ପରେ ଅଲୋଡ଼ା ହୋଇଗଲେ ମାଆ, ବାପା

ଜୟପୁର: ଏମାନେ ହେଉଛନ୍ତି ଅଲୋଡ଼ା । ସମସ୍ତେ ଥାଇ ବି ଏମାନେ ଆଜି ବେସାହାରା । ଆଉ ସାହାରା କହିଲେ ଅନ୍ୟର ବାରଣ୍ଡା । ଖରା, ବର୍ଷା, ଶୀତ ଏମାନଙ୍କ ପାଇଁ ସବୁ ସମାନ । ଯେଉଁ ମାଆ ଦିନେ ପୁଅକୁ ପଣତରେ ବାନ୍ଧି ରଖୁଥିଲା ଆଉ କ୍ଷଣିକ ପାଇଁ ଆଖିରୁ ଦୂରେଇ ଦେଇନଥିଲା । ସେହି ମାଆକୁ ଆଜି ପୁଅ ଦୂରେଇ ଦେଇଛି । ଯେଉଁ ବାପା, ପୁଅର ହାତ ଧରି ଚାଲିବା ଶିଖାଇଥିଲା । ସେ ପୁଅ ଆଜି ବୁଢା ବାପାକୁ ରାସ୍ତାରେ ଏକା ଛାଡ଼ି ଦେଇଛି । ବୟସର ଅପରାହଣରେ ସାହାରା ଦେବା ବଦଳରେ ଛାଡ଼ି ଚାଲିଯାଇଛି । ବେସାହାରା ହୋଇ ବାର ଦୁଆର ହେଉଛନ୍ତି ବୃଦ୍ଧ, ବୃଦ୍ଧା ।

ଏ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଜୟପୁରରେ । ବୃଦ୍ଧାବସ୍ଥାରେ ପୁଅ ପର କରଦେବା ପରେ ସାହାରା ନପାଇ ଘୁରି ବୁଲୁଛନ୍ତି । ଶଶିରେଖା ଆଚାରୀ, ବୟସ ପ୍ରାୟ ୭୦ ହେବ । ସ୍ୱାମୀ ଛାଡ଼ି ଆରପାରିକୁ ଚାଲିଗଲା ପରେ ପୁଅ ବୋହୂ ପର କରିଦେଇଛନ୍ତି । ରାସ୍ତାରେ ବୁଲୁଥିବାର ଦେଖି ତାଙ୍କୁ ଜଣେ ଭଦ୍ର ବ୍ୟକ୍ତି ଏକ ବୁଦ୍ଧାଶ୍ରମରେ ନେଇ ଛାଡ଼ିଥିଲେ । ହେଲେ ମାଆ ଆଶ୍ରମରେ ରହିଲେ ପୁଅର କାଳେ ମାନସମ୍ମାନ ନଷ୍ଟ ହେବ ।

ସେଥିପାଇଁ ପୁଅ ବୃଦ୍ଧା ମାଆକୁ ଆଶ୍ରମରୁ ନେଇ ପୁଣି ରାସ୍ତା ଉପରେ ଛାଡ଼ି ଚାଲିଗଲା । ସେପଟେ ମାଆ ଘରକୁ ଯିବାକୁ ଚାହିଁଲେ ମଧ୍ୟ ଯାଇପାରୁନି । କାରଣ ପୁଅର ସାଥ ଦେଇଛି ବୋହୂ ।

ସେହିଭଳି ଆଉଜଣେ ବୃଦ୍ଧ ଦମ୍ପତ୍ତିଙ୍କ ଦୁଃଖ କହିଲେ ନସରେ । କୁଷ୍ଠ ଜାନୀ (୭୫) ଏବଂ ସ୍ୱରୀ ସୁନ୍ଦରୀ ଜାନୀ (୬୫) । ପୁଅ ବିବାହ ପରେ ବୋହୂକୁ ସାଙ୍ଗରେ ନେଇ ୨ ଜଣଙ୍କୁ ଛାଡ଼ି ନବରଙ୍ଗପୁର ଚାଲି ଯାଇଛି । ଘର ଭାଙ୍ଗିଯିବା ପରେ ଆଶ୍ରୟ ନପାଇ ଦମ୍ପତି ଏବେ ଅନ୍ୟ ପିଣ୍ଢାରେ ରାତି କାଟୁଛନ୍ତି ।

Leave a Reply