ଓଡ଼ିଶା ପୋଲିସକୁ ବଡ଼ ସଫଳତା, ୨୦ ଲକ୍ଷ ଟଙ୍କାର ଇନାମୀ ମାଓନେତା ଗିରଫ
1 min readଭୁବନେଶ୍ୱର: ମାଓ ବିରୋଧୀ ଅପରେସନରେ ଓଡ଼ିଶା ପୋଲିସକୁ ବଡ଼ ସଫଳତା ମିଳିଛି । ଟପ୍ ମାଓ ନେତା ଦୁବାସି ଶଙ୍କରକୁ ପୋଲିସ ଗିରଫ କରିଛି । ଦୁବାସିଙ୍କ ମୁଣ୍ଡ ଉପରେ ୨୦ ଲକ୍ଷ ଟଙ୍କା ପୁରସ୍କାର ଥିଲା । କୋରାପୁଟ ପୋଲିସ, ଏସଓଜି ଓ ବିଏସଏଫ ମିଳିତ ଭାବେ ବୈପାରୀଗୁଡ଼ା ଥାନା ଅଞ୍ଚଳରୁ ମାଓ ନେତା ଦୁବାସିଙ୍କୁ ଧରିଛନ୍ତି । ତାଙ୍କଠାରୁ ଗୋଟିଏ ଇନସାସ୍ ରାଇଫଲ ସହ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । ଦୁବାସିଙ୍କୁ କୋର୍ଟ ଚାଲାଣ କରାଯାଇଛି । ପ୍ରେସମିଟ୍ କରି ଏ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ ।
ଗତ ୨୦ ବର୍ଷ ମଧ୍ୟରେ ସବୁଠୁ ବଡ଼ ମାଓ ନେତା ଭାବେ ଦୁବାସିଙ୍କୁ ପୋଲିସ ଗିରଫ କରିଛି । ଆନ୍ଧ୍ର-ଓଡ଼ିଶା ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ଦୁବାସି । ୨୦୦୯ ଦାମନଯୋଡ଼ି ସିଆରପିଏଫ ୯ ଯବାନ ସହିଦ, ୨୦୧୦ ଗୋବିନ୍ଦପାଲ୍ଲୀ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୧୧ ପୋଲିସ ସହିଦ, ଜାନୁଗୁଡ଼ା ଆମ୍ବୁସ ଆଦି ହିଂସାକାଣ୍ଡରେ ଦୁବାସି ଶଙ୍କରଙ୍କ ସମ୍ପୃକ୍ତ ରହିଛି । ଖୁବଶୀଘ୍ର ପୋଲିସ ଦୁବାସିଙ୍କୁ ରିମାଣ୍ଡରେ ଆଣି ଜେରା କରିବ ବୋଲି ଡିଜିପି ସୂଚନା ଦେଇଛନ୍ତି ।
ଦୁବାସି ଗିରଫ ପରେ ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏସିଏମ୍ ରାଙ୍କର ସୋନାଲ ମାଡବି ଓରଫ୍ କିରଣ କୋରାପୁଟ ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି । ଚଳିତବର୍ଷ ଏବେ ସୁଦ୍ଧା ୨୬ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି ।